ଭକତ ଭାବରେ ବନ୍ଧା ପ୍ରଭୁ ଜଗନ୍ନାଥ…

297

କନକ ବ୍ୟୁରୋ : ଭକତ ଭାବରେ ବନ୍ଧା ପ୍ରଭୁ ଜଗନ୍ନାଥ । ସବୁବେଳେ ଶ୍ରଦ୍ଧାଳୁଙ୍କ ଲାଗି ବାହା ମେଳାଇ ବସିଛନ୍ତି ଜଗନ୍ନାଥ । କେତେବେଳେ କେଉଁ ରୂପରେ ନିଜ ଭକ୍ତଙ୍କ ପାଖରେ ପହଞ୍ଚିଛନ୍ତି ତାହାର ମାୟା କେହି ପାଇପାରି ନାହାନ୍ତି । ଏପରି ଏକ ଭକ୍ତ ମହାପ୍ରଭୁଙ୍କର ଥିଲେ ଯାହାକୁ ରତ୍ନ ଥାଳିରେ ପେଟ ପୂରା ଖାଇବାକୁ ଦେଇଥିଲେ ଜଗନ୍ନାଥ । ଯାହା ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ୍ୟ ଘଟଣା । ଭକ୍ତର ଦୁଃଖ ଦେଖିପାରୁ ନଥିବା ଠାକୁର ଜଗନ୍ନାଥ ।

ଉନବିଂଶ ଶତାଦ୍ଦୀର କଥା । ପ୍ରତ୍ୟେକ ଦିନ ଶ୍ରୀ ମନ୍ଦିରରେ ବିଭିନ୍ନ ପ୍ରକାରର ଉପଚାର କରାଯାଏ । ସେଦିନ ମଧ୍ୟ ମନ୍ଦିରରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ରୋଷହୋମ, ମଇଲମ, ଅବକାଶ, ସକାଳ ଧୂପ ଆଦି ଅନେକ ନିତି ସରିଲା ପରେ ମଧ୍ୟ୍ାନ୍ନ ଧୂପ ସରିଲା । ପରେ ଠାକୁରଙ୍କର ପହଡ ନୀତି । ପହଡ ଖୋଲାଯାଇ ସଂଧ୍ୟା ଆଳତୀ ହେବା ସମୟରେ ଭକ୍ତ ବନ୍ଧୁମହାନ୍ତି ପହଞ୍ଚନ୍ତି ମନ୍ଦିର ସମ୍ମୁଖରେ । ହେଲେ କୈାଣସି କାରଣ ବଶତଃ ଦର୍ଶନ ପାଆନ୍ତି ନାହିଁ ।

ଏତେ ବାଟରୁ ଯାଇ ଭଗବାନଙ୍କ ଦର୍ଶନ ପାଇପାରି ନଥିବା କାରଣରୁ ମନ ଦୁଃଖରେ ସିଂହ ଦ୍ୱାର ସମ୍ମ୍ରୁଖରେ ବସିଥାଆନ୍ତି । ଏ ପଟେ ଭୋକରେ ଅସ୍ତବ୍ୟସ୍ତ ମଧ୍ୟ ଲାଗୁଥାଏ । କଣ କରିବେ ସୁଦୁର ଯାଜପୁରରୁ ଯାଇଛନ୍ତି । ପାଖରେ ଟଙ୍କା ସରି ଆସିଲାଣି । ଭୋକରେ ସେହି ସିଂହଦ୍ୱାର ସମ୍ମୁଖରେ ବସିଥାଆନ୍ତି । ଭକ୍ତ ଅଖିଆ ଅପିଆ ମନ୍ଦିର ସମ୍ମୁଖରେ ବସିଥିବାରୁ ଭଗବାନଙ୍କୁ ଭାରି କଷ୍ଟ ହେଲା । ଶେଷରେ ବଡପଣ୍ଡା ମନ୍ଦିରରୁ ବଡସିଂହାର ସାରି ଗଲାପରେ ସ୍ୱୟଂ ପ୍ରଭୁ ଜଗନ୍ନାଥ ନିଜେ ସୁନା ଥାଳିରେ ଖାଦ୍ୟ ନେଇ ପହଞ୍ଚନ୍ତି ଭକ୍ତଙ୍କ ପାଖରେ । ଯେତେବେଳେ ଭୋକରେ ଥିବା ବ୍ୟକ୍ତି ଜଣଙ୍କୁ ବଢାଇ ଦିଅନ୍ତି ଖାଇବା ଥାଳି ସେ କହିଉଠେ ଆପଣ କିଏ? ମୋ ପାଇଁ ଏ ଦିବ୍ୟ ଖାଇବା ପୁଣି ସୁନାଥାଳିରେ ଆଣିଛନ୍ତି । ଏହି ସମୟରେ ପ୍ରଭୁ ନିଜେ ତାଙ୍କୁ ଦର୍ଶନ ଦେବାପରେ ଭୋକରେ ଅଛ ଖାଇବା ଆଣିଛି ଖାଇ ଦିଅ ବୋଲି କହିଥିଲେ । ପ୍ରଭୁଙ୍କୁ ପାଖରେ ପାଇ ସେ ବିଭୋର ହେଇଗଲେ ।

 

ପରେ ଭଗବାନ ତାଙ୍କୁ “ବନ୍ଧୁ” ବୋଲି ସମ୍ବୋଧନ କରି କହିଥିଲେ ବନ୍ଧୁ ଭୋକରେ କାହିିଁକି ରହିବ? ପେଟ ପୁରା ଖାଇଦିଅ କହି ଭଗବାନ ରତ୍ନ ସିଂହାସନକୁ ଫେରିଗଲେ । ଏ ପଟେ ଯାହାଙ୍କୁ ଭଗବାନ ବନ୍ଧୁ ବୋଲି ସମ୍ବୋଧନ କଲେ ସେ ନିଜକୁ ସମ୍ବାଳି ନପାରି ପ୍ରଭୁ ମୋତେ ଦେଖା କରିବାକୁ ରତ୍ନଭଣ୍ଡାର ଛାଡି ପଲାଇ ଆସିଲୁ । ଧନ୍ୟ ତୋ ଭକ୍ତ ପ୍ରେମ । ଏହା କହିବା ପରେ ସୁନାଥାଳିରୁ ଖେଚୁଡି ଖାଇଲେ ଓ ସେଠାରେ ହିଁ ଶୋଇଲେ ।

ରାତି ପାହିଲା ସକାଳ ହେଲା । ଦୈନଦିନ ରିତନୀତି ପାଇଁ ବଡପଣ୍ଡା ଦେଉଳକୁ ପ୍ରବେଶ କରନ୍ତି । କିନ୍ତୁ ଜଣାପଡେ ପ୍ରଭୁଙ୍କର ସୁନା ଥାଳି ମନ୍ଦିର ଭିତରେ ନାହିଁ । ଚହଳ ପଡିଗଲା ମନ୍ଦିରରୁ କେହି ସୁନାଥାଳି ନେଇ ଯାଇଛି । ସାଙ୍ଗେ ସାଙ୍ଗେ ରାଜାଙ୍କ ପାଖକୁ ଖବର ପହଞ୍ଚିଲା । ରାଜା ମଧ୍ୟ ବଡପଣ୍ଡାଙ୍କୁ ଡାକିି ସମସ୍ତ ଘଟଣା ବିଷୟରେ ପଚାରି ବୁଝିଲେ । ପରେ ଜଣାପଡିଲା କି ବଡଦାଣ୍ଡରେ ବସିଥିବା ଜଣଙ୍କ ପାଖରେ ସୁନାଥାଳି ରହିଛି । ତେଣୁ ସେହି ବ୍ୟକ୍ତିଙ୍କୁ ରାଜାଙ୍କ ସମ୍ମୁଖରେ ଉପସ୍ଥିତ କରାଗଲା । ଅନେକ ମାଡଗାଳି ମଧ୍ୟ ହେଲା । ସେ ଯେତେ କହିଲେ ମୁଁ ଥାଳୀ ଚୋରି କରିନାହିଁ ବରଂ ଜଗନ୍ନାଥ ନିଜେ ଆସି ମତେ ଥାଳୀ ଦେଇଛନ୍ତି । ତାଙ୍କ କଥାକୁ କେହି ବିଶ୍ୱାସ କଲେ ନାହିଁ । ଓଲଟି ସମସ୍ତେ କହିଲେ ନିଜେ ମନ୍ଦିରରୁ ଚୋରିକଲୁ ତାହା ପରେ ଠାକୁରଙ୍କୁ ବଦନାମ କରୁଛୁ କଣ ପାଇଁ? ଏହାପରେ ମାଡଗାଳି ଖାଇଥିବା ବନ୍ଧୁ କାନ୍ଦି କାନ୍ଦି କହିଲେ “ପ୍ରଭୁ ମୁଁ ତ ତୋ ଦ୍ୱାରେ ଶୋଇଥିଲି । ମତେ ଖାଇବାକୁ ଦେଲୁ । ପୁଣି ମାଡ ଖୁଆଇଲୁ ଓ ଚୋର ବୋଲି ପ୍ରମାଣ କଲୁ କାହିଁକି” କହି ମନ ଦୁଃଖରେ ବସିଲେ ।

ଏ କଥା ପ୍ରଭୁ ଜାଣିଲା ପରେ ସେଦିନ ରାତିରେ ରାଜା ଓ ବଡପଣ୍ଡାଙ୍କୁ ସ୍ୱପ୍ନାଦେଶ କରି କହନ୍ତି “ମୋ ଭକ୍ତକୁ ମୁଁ ନିଜେ ଯାଇ ଖାଇବାକୁ ଦେଇଥିଲି । ତମେ ମାନେ ତାକୁ ବାଡେଇକି ଚୋର ପ୍ରମାଣ କରିଦେଲ । ଯଥା ଶୀଘ୍ର ତାଙ୍କର ରହିବା ଖାଇବା ବ୍ୟବସ୍ଥା କରିବା ସହ ତାଙ୍କୁର ଯେପରି କୈାଣସି ଅସୁବିଧା ନ ହେବ ସେଥିପ୍ରତି ଧ୍ୟାନ ଦିଅ ଓ ସେ ମୋର ବନ୍ଧୁ” ବୋଲି ସ୍ୱପ୍ନାଦେଶ କରନ୍ତି । ଏହାପରେ ବଡପଣ୍ଡା ରାଜାଙ୍କ ପାଖରେ ସମସ୍ତ କଥା କହିବା ପରେ ରାଜା “ବନ୍ଧୁ”ଙ୍କୁ ସବୁପ୍ରକାରର ସୁବିଧା ଯୋଗାଇ ଦେଲେ । ଶେଷରେ ତାଙ୍କୁ କ୍ଷମା ମଧ୍ୟ ମାଗିଲେ ଓ କହିଲେ ଆମର ଭୁଲ ହେଇଛି ଆମକୁ କ୍ଷମାକର ।

ଏ କଥା ସମଗ୍ର ଓଡିଶାରେ ଖେଲିଗଲା ଓ ତାଙ୍କୁ ସମସ୍ତେ ବନ୍ଧୁ ମହାନ୍ତି ନାମରେ ଡାକିଲେ । ଏବେ ବି ଯାଜପୁରର କିଆନାଳୀ କୂଳରେ ବନ୍ଧୁ ମହାନ୍ତି ନଗରର ଦେଖାଶୁଣା କରାଯାଇଛି ।ପ୍ରଭୁ ଜଗନ୍ନାଥ ସବୁବେଳେ ନିଜର ଭକ୍ତଙ୍କର ଭାବନାରେ ରହନ୍ତି । ଯିଏ ତାଙ୍କୁ ହାତ ଟେକିଦିଏ ଭଗବାନ ତାଙ୍କ ପାଖରେ ପହଞ୍ଚି ତାକୁ ଉଦ୍ଧାର କରନ୍ତି । ତେଣୁ କଳିଯୁଗର ପ୍ରତ୍ୟକ୍ଷ ଦେବତା ପ୍ରଭୁ ଜଗନ୍ନାଥ ।