‘ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍’ : ଓଡ଼ିଶା ନିର୍ମାଣ କନକ୍ଲେଭରେ ବଡ଼ ଘୋଷଣା କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

294

କନକ ବ୍ୟୁରୋ : ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍ । କନକ ନ୍ୟୁଜରେ ଓଡ଼ିଶା ନିର୍ମାଣ କନକ୍ଲେଭରେ ଏପରି ବଡ଼ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଏହା ଦ୍ୱାରା ଜଗନ୍ନାଥଙ୍କ ସଂସ୍କୃତି, ଐତିହ୍ୟ ଓ ରାଜ୍ୟର ସଂସ୍କୃତି ବିଶ୍ୱସ୍ତରରେ ପହଞ୍ଚି ପାରିବ । ଯେଉଁଠି ଓଡ଼ିଶାର ଭାଇଚାରା ଓ ଓଡ଼ିଆ ଖାଦ୍ୟ ପାଇବେ ଯାତ୍ରୀ । ଏହା ସହ ଓଡ଼ିଶାକୁ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍ ବୋଲି ଅଶ୍ୱିନୀ ବୈଷ୍ଣବ ଆଉ ଏକ ବଡ଼ ଘୋଷଣା କରିଛନ୍ତି । ଏବେ ମାସକୁ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ନିର୍ମାଣ କରାଯାଉଛି । ଜାନୁଆରୀ ଫେବ୍ରୁଆରୀ ସୁଦ୍ଧା ୪ରୁ ୫ଟି ଟ୍ରେନ୍ ନିର୍ମାଣ କରାଯିବ ।

ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ଚାଲି ପାରିବ କି ନାହିଁ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ମେଟ୍ରୋ ଟ୍ରେନ୍ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ପଠାଇ ନାହାନ୍ତି । ପ୍ରସ୍ତାବ ଦେଲେ ନିଶ୍ଚିତ ସହଯୋଗ କରାଯିବ । ଓଡ଼ିଶାରେ ମଧ୍ୟ ମେଟ୍ରୋ ଟ୍ରେନ୍ ଚାଲି ପାରିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହା ସହ ରେଳ ମନ୍ତ୍ରୀ ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ମିଳି ଫାଇଭ୍-ଜି । ୩ ମାସ ଭିତରେ ରାଜ୍ୟବାସୀ ଫାଇଭ୍-ଜି ସେବା ପାଇପାରିବେ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଲୁମିନିୟମ୍ରେ ବିଶ୍ୱର ରାଜଧାନୀ ହୋଇପାରିବ ଓଡ଼ିଶା । ଏହା ସହ ଷ୍ଟିଲରେ ମଧ୍ୟ ଦେଶର ରାଜଧାନୀ ଓଡ଼ିଶା ହୋଇପାରିବ । ସାରା ଦେଶରେ ଶକ୍ତିର ଚାହିଦା ରହିଛି । ଆଗକୁ ମଧ୍ୟ ଆହୁରି ଚାହିଦା ବଢିବ । ଓଡ଼ିଶାରେ ଶକ୍ତି ଉତ୍ପାଦନ କରି ସାରା ଦେଶକୁ ଦେଇପାରିବା । ଆମେ ଯଦି ସଠିକ୍ ଯୋଜନାରେ କାମ କରିବା ତେବେ ଶକ୍ତି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶର ରାଜଧାନୀ ହୋଇପାରିବ । ଏହା ସହ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରିଂର କ୍ୟାପିଟାଲ ମଧ୍ୟ ଓଡ଼ିଶା ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।