ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ । ପରିକ୍ରମା ପ୍ରକଳ୍ପ ଦେଖିବାର ସୁଯୋଗ ପାଇବେ ଦୂରଦୂରାନ୍ତର ଶ୍ରଦ୍ଧାଳୁ, ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲା ସାମିଲ

487

କନକ ବ୍ୟୁରୋ : ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ, ଏହି ଐତିହାସିକ ରୂପାନ୍ତରଣକୁ ଦେଖିବା ପାଇଁ ରାଜ୍ୟ ସରକାର ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ନୂଆ ଅଭିଯାନରେ ବିଭିନ୍ନ ଜିଲ୍ଲା ସଦର ମହକୁମାରୁ ପୁରୀକୁ ଗଡିଛି ଶ୍ରୀଜଗନ୍ନାଥ ଏକ୍ସପ୍ରେସ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଲକ୍ଷ୍ମୀ ଯୋଜନାରେ ଏହି ବସ୍ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଯାତ୍ରା କରିବ ।

ପ୍ରାଥମିକ ପର୍ଯ୍ୟାୟରେ ୧୨ଟି ଜିଲ୍ଳା ସଦର ମହକୁମାରୁ ପୁରୀକୁ ଏହି ସେବା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର, ବରଗଡ, ଗଂଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ପୁରୀକୁ ଜଗନ୍ନାଥ ଏକ୍ସପ୍ରେସ ଗଡିଛି । ପରବର୍ତି ପର୍ଯ୍ୟାୟରେ ପ୍ରତି ପଂଚାୟତରୁ ପୁରୀକୁ ଏହି ବସ୍ ଚାଲିିବ । ଆସନ୍ତା ୨୧ ତାରିଖରୁ ପ୍ରତି ପଂଚାୟତରୁ ବାହାରିବ ବସ୍ । ଆଉ ସେହି ବସରେ ପ୍ରତ୍ୟେକ ଦିନ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ପୁରୀକୁ ନେଇ ପରିକ୍ରମା ପ୍ରକଳ୍ପ ଦର୍ଶନ କରାଇବାର ବ୍ୟବସ୍ଥା କରିଛନ୍ତି ସରକାର ।

ତେବେ ରାଜ୍ୟ ସରକାରଙ୍କ ଏହି ଅଭିଯାନକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ବିରୋଧୀ ଏହାକୁ ସମାଲୋଚନା କରିଥିବାବେଳେ ଜବାବ ରଖିଛି ଶାସକ ଦଳ ।

ମାଗଣାରେ ଓଡିଶାବାସୀଙ୍କୁ ଶ୍ରୀକ୍ଷେତ୍ର ବୁଲାଇବା ପାଇଁ ରାଜ୍ୟ ସରକାର ଏହି ଅଭିଯାନ ଆରମ୍ଭ କରୁଛନ୍ତି ।