ପହଣ୍ଡି ସମ୍ପନ୍ନ, ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି…ଆଉ କିଛି ସମୟ ପରେ ଆରମ୍ଭ ହେବ ଛେରାପହଁରା ନୀତି

135

କନକ ବ୍ୟୁରୋ: ପହଣ୍ଡିବିଜେ ନୀତି ସଂପନ୍ନ । ରଥାରୁଢ ହେଲେ ଚତୁର୍ଧମୂର୍ତ୍ତି । ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ପବିତ୍ର ବାହୁଡା ଯାତ୍ରା । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଚାଲି ଆସିଥିବା ବିଶ୍ୱ ନୟନ୍ତା କାଳିଆ ସାଆନ୍ତଙ୍କ ପ୍ରସିଦ୍ଧ ବାହୁଡା ଯାତ୍ରା । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ବାହୁଡା ଯାତ୍ରାରେ ପୁଣି ଗୁଣ୍ଡିଚା ମନ୍ଦିରରୁ ଫେରିଯିବେ ନୀଳକନ୍ଦରକୁ । ନିଘଂଟ ନୀତି ଅନୁସାରେ, ଆଜି ବାହୁଡା ଯାତ୍ରାର ସମସ୍ତ ନୀତି କାନ୍ତି ଚାଲିଛି । ପ୍ରଥମେ ତିନି ଠାକୁରଙ୍କ ମଙ୍ଗଳଆଳତୀ ତଥା ଅନ୍ୟାନ୍ୟ ନୀତିକାନ୍ତି ସଂପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହଙ୍କ ପହଣ୍ଡିବିଜେ ନୀତି ।

ପ୍ରଥମେ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପରେ ପରେ ଆରମ୍ଭ ହୋଇଥିଲା ବଡଭାଇ ତଥା ବଡଠାକୁର ପ୍ରଭୁ ଶ୍ରୀ ବଳଦେବଙ୍କ ପହଣ୍ଡି । ଏହା ପରେ ଧାଡି ପହଣ୍ଡିରେ ଗୁଣ୍ଡିଚା ଘରୁ ରଥ ଅଭିମୁଖେ ବାହାରିଥିଲେ ହଳଦୀମୁହିଁ ଦେବୀ ସୁଭଦ୍ରା । ଏବଂ ପାରମ୍ପରିକ ଭାବେ ସବା ଶେଷରେ ହୋଇଥିବା ଜଗତରନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ନୀତି । ତେବେ ପହଣ୍ଡିବିଜେ ନୀତି ସଂପନ୍ନ ହେବା ପରେ ଏବେ ରଥାରୁଢ ହୋଇଛନ୍ତି ଚତୂର୍ଦ୍ଧାମୂର୍ତ୍ତି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଡାକୁର ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି । ଏହା ପରେ ରଥାରୁଢ ଶ୍ରୀବିଗ୍ରହଙ୍କ ଆରମ୍ଭ ହେବ ଛେରାପହଁରା ନୀତି ।