ଜଗନମୋହନଙ୍କ ଓଡିଶା ଗସ୍ତ ପୂର୍ବରୁ ପୁଣି ଚର୍ଚ୍ଚାରେ କୋଟିଆ : ବିଭିନ୍ନ ଗାଁରେ ଆନ୍ଧ୍ର ଲଗାଇଲା ଯୋଜନା ସମ୍ପର୍କିତ ହୋର୍ଡିଂ

ସ୍ଥିତି ଅନୁଧ୍ୟାନ କଲେ ଆନ୍ଧ୍ର ଅଧିକାରୀ; ବଡ ପ୍ରଶ୍ନ, ନବୀନ ଓ ଜଗନମୋହନ ଆଲୋଚନାରୁ ବାହାରିବ କି ସମାଧାନର ବାଟ

94

କନକ ବ୍ୟୁରୋ : ଦୁଇ ରାଜ୍ୟର ବିଭିନ୍ନ ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ କାଲି ଭୁବନେଶ୍ୱର ଆସୁଛନ୍ତି । ସେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଏହି ସମୟରେ ପୁଣି ଏକ ବିବାଦୀୟ ଚିତ୍ର କୋଟିଆରୁ ଆସିଛି । କୋଟିଆରେ ପୁଣି ପଶିଛି ଆନ୍ଧ୍ର । କୋଟିଆର ବିଭିନ୍ନ ଗାଁରେ ନିଜ କାର୍ଯ୍ୟକ୍ରମ ସମ୍ପର୍କିତ ବିଭିନ୍ନ ହୋର୍ଡିଂ ଲଗାଇଛି ପଡୋଶୀ ଆନ୍ଧ୍ର ପ୍ରଦେଶ । ଫଗୁଣସିନେରୀ ସମେତ କୋଟିଆର ବିଭିନ୍ନ ଗାଁରେ ଏହି ହୋର୍ଡିଂ ଲଗାଯାଇଛି । ଏହାପରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଆନ୍ଧ୍ର ଅଧିକାରୀ । ପୂର୍ବରୁ ମଧ୍ୟ ଅନେକ ଥର କୋଟିଆରେ ପଶି ଦାଦାଗିରି କରିଛି ଆନ୍ଧ୍ର । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପୂର୍ବରୁ ଏହି ଘଟଣା ଏକ ନୂଆ ବିବାଦ ସୃଷ୍ଟି କରିଛି ।

କାଲି ଦିନିକିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଭେଟିବା କାର୍ଯ୍ୟସୂଚୀ ରହିଛି । ଦୁଇ ନେତାଙ୍କ ମଧ୍ୟରେ ପୋଲାଭରମ ପ୍ରକଳ୍ପ, ବଶଂଧାରା ନଦୀରେ ବ୍ୟାରେଜ ନିର୍ମାଣ ବିବାଦକୁ ନେଇ ଆଲୋଚନା ହେବ । ତେବେ ଚର୍ଚ୍ଚାରେ ଥିବା କୋଟିଆ ଗ୍ରାମପୁଞ୍ଜ ବିବାଦ ଉପରେ ଦୁଇ ନେତା କଥାବାର୍ତା ହୋଇ ସମାଧାନ ବାଟ ବାହାର କରିବେ ବୋଲି ଆଶା କରାଯାଉଛି ।ସେହିପରି ଦୁଇ ଦିନ ହେଲା କୋଟିଆ ଗ୍ରାମପୁଞ୍ଜରେ ସକ୍ରିୟ ହୋଇଛନ୍ତି ଆନ୍ଧ୍ରର ଏଜେଣ୍ଟ । ଏହି ଏଜେଣ୍ଟମାନେ ଗାଁ ଗାଁ ବୁଲି ଲୋକଙ୍କୁ ଏକାଠି କରୁଛନ୍ତି । ଫଗୁଣସିନେରୀ ଏବଂ ଫାଟୁସିନେରୀ ଗ୍ରାମବାସୀଙ୍କୁ କଡ଼ା ଚେତାବନୀ ବି ଦେଇଥିବା ସୂଚନା ମିଳିଛି । ଯଦି କୌଣସି ଗାଁର ଲୋକ ଓଡ଼ିଶାକୁ ସହଯୋଗ କରିବେ ତେବେ ଗାଁରୁ ବାସନ୍ଦ କରାଯିବ । ଗାଁକୁ ରାସ୍ତା, ପାଣି ଯୋଗାଣ ସହ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ କରାଯିବ । ଆନ୍ଧ୍ରର କିଛି ସରକାରୀ କର୍ମଚାରୀ ଓ ସାଲୁର ବିଧାୟକ ଇସାରାରେ ଏଭଳି କାର୍ଯ୍ୟରେ ଏଜେଣ୍ଟମାନେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି ।

ଅନୁପ୍ରବେଶ ବଢ଼ିଥିବା ବେଳେ କୋଟିଆ ଗ୍ରାମପୁଞ୍ଜର ୨୨ ଗାଁ ମଧ୍ୟରୁ ଅଧାରୁ ଅଧିକ ଗାଁର ଲୋକଙ୍କୁ ପ୍ରଭାବିତ କରି ଆନ୍ଧ୍ର ସପକ୍ଷରେ ମତ ଦେବାକୁ ପ୍ରସ୍ତୁତି ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ତେଣୁ ନିୟମିତ ଭାବେ ଗାଁ ଗାଁରେ ବୈଠକ ହୋଇ ଲୋକଙ୍କୁ ପ୍ରଲୋଭିତ କରାଯାଉଛି । ଯଦି ଲୋକେ ପ୍ରଭାବିତ ହେଉ ନାହାନ୍ତି ତେବେ ଚେତାବନୀ ଦିଆଯାଉଛି । ଏହାସହ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଭୌଗଳିକ ସର୍ଭେ କରିବାକୁ ଗୋଟିଏ ଟିମ୍‌ ଗତକାଲି ଆସି ଫେରିଥିବା ଜଣାପଡିଛି । କୋଟିଆର କିଛି ଗାଁରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଆଧାରକାର୍ଡ ମଧ୍ୟ ବଣ୍ଟନ ହୋଇଥିବା ଜଣାପଡିଛି ।