ବିଜୟୱାଡାରେ ବାବା ସାହେବ ଆମ୍ବେଦକରଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତୀ । ଉନ୍ମୋଚନ କଲେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ

1,272

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବିଜୟୱାଡାରେ ଉନ୍ମୋଚନ କରିଛନ୍ତି ବାବା ସାହେବ ଆମ୍ବେଦକରଙ୍କର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତୀ । ଆମ ସମ୍ବିଧାନର ଜନକ ତଥା ଦଳିତ ଗୋଷ୍ଠୀଙ୍କ ଉନ୍ନତି ପାଇଁ ସର୍ବଦା ଲଢି ଆସିଥିବା ଆମ୍ବେଦକରଙ୍କର ଏହି ସୁଉଚ୍ଚ ପ୍ରତିମାକୁ ଷ୍ଟାଚ୍ୟୁ ଅଫ ସୋସିଆଲ ଜଷ୍ଟିସ୍ ନାମ ଦିଆ ଯାଇଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏହାକୁ ବିଜୟୱାଡାର ସ୍ୱରାଜ ମୈଦାନରେ ଅନାବରଣ କରିଛନ୍ତି ।

ରାଜ୍ୟ ସରକାର ଏହାର ଉଦଘାଟନ ପାଇଁ ବିଭିନ୍ନ ଆୟୋଜନ କରିଥିବା ବେଳେ ଏହା ପାଖରେ ଥିବା ଗାନ୍ଧୀ ମ୍ୟୁନିସିପାଲ କର୍ପୋରେସନ ଷ୍ଟାଡିୟମରେ ମିଟିଂ କରାଯାଇ ବିଶାଳ ଜନ ସମାବେଶ ସହିତ ମୂର୍ତ୍ତୀ ଉଦଘାଟନ କରାଯାଇଥିଲା । ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ୱାଇଏସଆରସିପି ଦ୍ୱାରା ପାର୍ଟି ମୁଖ୍ୟ କାର୍ଯ୍ୟାଳୟରୁ ବାଇକ ରାଲିର ଆୟୋଜନ ମଧ୍ୟ କରାଯାଇଥିଲା । ଶୃଙ୍ଖଳା ଦୃଷ୍ଟିରୁ ସହରର ସମସ୍ତ ଭାରୀ ଯାନ ଗୁଡିକୁ ଅନ୍ୟ ରାସ୍ତାରେ ଯିବାକୁ ନିର୍ଦ୍ଦେଶ ଦିଆଯିବା ସହ ଟ୍ରାଫିକ ସୁରକ୍ଷା ବ୍ୟବସ୍ତା କଡା କଡି କରାଯାଇଥିଲା ।

୧୨୫ ଫୁଟ ଉଚ୍ଚତା ବିଶିଷ୍ଟ ଆମ୍ବେଦକରଙ୍କ ପ୍ରତିମା ୮୧ ଫୁଟର ପେଡେଷ୍ଟାଲ ପରେ ସ୍ଥାପନ କରା ଯାଇଛି । ଏହି ସ୍ଥାନଟିକୁ ଆକର୍ଷିତ କରିବା ପାଇଁ ଚଲା ପଥ ସହ ସୁନ୍ଦର ଉଦ୍ୟାନ ନିର୍ମାଣ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ଭାବେ ନିର୍ଦେଶ ଦେଇଛନ୍ତି । କୋଭିଡର ଜଟିଳତା ସତ୍ୱେ ୩୦ ମାସ ମଧ୍ୟରେ ଏହି ମୂର୍ତ୍ତୀ କାର୍ଯ୍ୟ ସମ୍ପାଦନ କରାଯାଇଛି । ଅସୁବିଧା ସତ୍ୱେ ଗଠନ ତଥା ଗୁଣାତ୍ମକ ମାନରେ କୌଣସି ପ୍ରକାର ଆଂଚ ଯେପରି ନ ଆସେ ଏ ନେଇ ସ୍ୱତନ୍ତ୍ର ଧ୍ୟାନ ରଖା ଯାଇଛି ବୋଲି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ୱାଇ ଶ୍ରୀଲକ୍ଷ୍ମୀ । ନିର୍ମାଣ ସମୟରେ ଯେପରି ଆଖ ପାଖ ସବୁଜିମା ନଷ୍ଟ ନ ହୁଏ ଏବଂ ଏ କଥାକୁ ପ୍ରାଥମିକତା ଦିଆଯାଇଛିି । ଦେଖଣାହାରୀଙ୍କ ପାଇଁ ୮୦୦୦ ବର୍ଗଫୁଟର ଫୁଟ କୋର୍ଟ ତିଆରି କରା ଯାଇଥିବା ବେଳେ ମୈଦାନର ପୂର୍ବ ଓ ପଶ୍ଚିମ ପାଖରେ ବଡ ପାର୍କଂର ବ୍ୟବସ୍ଥା ମଧ୍ୟ କରା ଯାଇଛି ।