ଆଜି ଖୋଲିବ ଶ୍ରୀମନ୍ଦିର ଜଗମୋହନ! ଭକ୍ତ-ଭଗବାନଙ୍କ ମଧ୍ୟରେ କମିବ ଦୂରତା, ଅତି ନିକଟରୁ ଶ୍ରୀଜିଉଙ୍କୁ ଦେଖିବେ ଭକ୍ତ । ଜାଣନ୍ତୁ ଜଗମୋହନ ଖୋଲିବାର ପୂରା ସମୟସୀମା

42

କନକ ବ୍ୟୁରୋ : ଦୁଇ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଜି ଖୋଲିବ ଶ୍ରୀମନ୍ଦିର ଜଗମୋହନ । ମାତ୍ର କିଛି ଘଣ୍ଟାର ଅପେକ୍ଷା । ତା ପରେ ଭକ୍ତ-କାଳିଆ ମଧ୍ୟରେ ଥିବା ଦୂରତା କମିବାକୁ ଯାଉଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନ ଜଗମୋହନ ଖୋଲିବା ପାଇଁ ସବୁ ବ୍ୟବସ୍ଥା କରିଛି । ଆସନ୍ତାକାଲି ସକାଳଧୂପ ସରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରୁ ୧୨ଟା ଭିତରେ ଜଗମୋହନ ଖୋଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ମହାପ୍ରଭୁଙ୍କୁ ଭିତରକାଠ (ଜଗମୋହନ)ନିକଟରୁ ଦର୍ଶନ କରିବା ପାଇଁ ଭକ୍ତ ସୁଯୋଗ ପାଇପାରିବେ।

ଜଗମୋହନ ଖୋଲିବା ଓ ଦର୍ଶନକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଛି। କେଉଁ କେଉଁ ସମୟରେ ଜଗମୋହନରୁ ଦର୍ଶନ ବନ୍ଦ ରହିବ ସେ ନେଇ ବ୍ୟବସ୍ଥାବଳୀରେ ଉଲ୍ଲେଖ ରହିଛି। ଆସନ୍ତାକାଲି ଜଗମୋହନ ଖୋଲିବା ସମୟରେ ପୁରୀ ଏସପିଙ୍କ ସମେତ ପୁଲିସ ବିଭାଗର ଉଚ୍ଚପଦାଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିବେ। ଦର୍ଶନାର୍ଥୀମାନେ ଜୟ ବିଜୟ ଦ୍ଵାର ଦେଇ ଜଗମୋହନ ଭିତର କାଠ ନିକଟରୁ ଦର୍ଶନ କରି ବେହେରଣ ଦ୍ଵାର ଦେଇ ପ୍ରସ୍ଥାନ କରିବେ। ସରକାରୀ ପୁଲିସ ଓ ଜେଟିପି ଜଗମୋହନରେ ଉପସ୍ଥିତ ରହି ଦର୍ଶନରେ ଶୃଙ୍ଖଳା ରକ୍ଷା କରିବେ। ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବେହେରଣ ଦ୍ଵାର ଦେଇ ଭିତରକୁ ଆସିପାରିବେ ନାହିଁ। ଭକ୍ତ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଗମୋହନରେ ଏଥର ନଡ଼ିଆବାଡ଼ିଆକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି।

ସଂପୃକ୍ତ ସେବକ, ଅଧିକାରୀ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ରତ୍ନ ସିଂହାସନ ନିକଟକୁ ଯାଇପାରିବେ ନାହିଁ ବୋଲି ବ୍ୟବସ୍ଥାବଳୀରେ ଦର୍ଶାଯାଇଛି। ଦ୍ଵାରଫିଟା, ଭିତର ଶୋଧ, ମଙ୍ଗଳଆରତୀ ପରେ ଜଗମୋହନରୁ ଦର୍ଶନ ବ୍ୟବସ୍ଥା ଚାଲୁ ରହିବ। ଅବକାଶ ପରେ ବେଶ ବଢ଼ିବା ଠାରୁ ସକାଳଧୂପ ଶେଷ ପର୍ୟ୍ୟନ୍ତ ଜଗମୋହନ ଦର୍ଶନ ହେବ ନାହିଁ। ପ୍ରଥମ ଭୋଗମଣ୍ଡପ ପୂଜା ବସିବାଠାରୁ ମଧ୍ୟାହ୍ନଧୂପ ଶେଷ ପର୍ୟ୍ୟନ୍ତ ଜଗମୋହନରୁ ଦର୍ଶନ ବନ୍ଦ ରହିବ। ସେହିଭଳି ଦ୍ଵିତୀୟ ଭୋଗମଣ୍ଡପ ପୂଜା ବସିବା ସମୟ କୋଡ଼ିଏ ପଚିଶ ମିନିଟ୍ ଜଗମୋହନ ଦର୍ଶନ ବନ୍ଦ ରଖାଯିବ। ମଧ୍ୟାହ୍ନଧୂପ ପରେ ବିଜେ ପ୍ରତିମାଙ୍କ ବାହାର ବିଜେ ଥିଲେ ସନ୍ଧ୍ୟା ଆରତୀ ପରଠାରୁ ସନ୍ଧ୍ୟା ଆରତୀ ଶେଷ ପର୍ୟ୍ୟନ୍ତ ଜଗମୋହନରୁ ଦର୍ଶନ ବନ୍ଦ ରହିବ। ସେହିଭଳି ଦିବା ଆଲଟ ଲାଗି, ଚନ୍ଦନ ଲାଗି, ରାତ୍ର ଚନ୍ଦନଲାଗି ପରଠାରୁ ରାତ୍ର ପହୁଡ଼ ପର୍ୟ୍ୟନ୍ତ ମଧ୍ୟ ଜଗମୋହନରୁ ଦର୍ଶନ ବନ୍ଦ ରଖାଯିବ। ଅନବସର ସମୟ ୧୫ ବା ୧୬ ଦିନ ଜଗମୋହନରୁ ଦର୍ଶନ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଏହି ସମୟରେ ଭକ୍ତ ବାହାରକାଠ ନିକଟରୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ।

ବ୍ୟବସ୍ଥାବଳୀ ମୁତାବକ, ଜଗମୋହନ ଦର୍ଶନ ବ୍ୟବସ୍ଥା ଚାଲୁ ଦିନ ଠାରୁ ପିଣ୍ଡିକା ଆଦାୟ ପାଇଁ ଭିତରକାଠ ନିକଟରେ ୩ ଗୋଟି ଗରା ଓ ୩ଟି ଭେଟ ବାକ୍ସ ପୂର୍ବପରି ରଖାଯିବ। ଏହାକୁ ଜଣେ ଖୁଣ୍ଟିଆ, ଜଣେ ମେକାପ, ତଢଉକରଣ, ଦେଉଳକରଣ ମଙ୍ଗଳ ଆରତୀଠାରୁ ଚନ୍ଦନ ଲାଗି ପର୍ୟ୍ୟନ୍ତ ଜଗି ରହିବେ। ଜଣେ ସୁଆର ବଡୁ ଓ ଜଣେ ପତ୍ରୀ ବଡୁ ଭିତରକାଠ ପାଖରେ ରହି ତାଙ୍କର ସ୍ୱତ୍ଵଲିପି ଭିତ୍ତିକ ସେବା ସଂପାଦନ କରିପାରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ଜଣ ପିଣ୍ଡିକା ଅଫିସର ଜଗମୋହନରେ ଉପସ୍ଥିତ ରହି ପିଣ୍ଡିକା ଅମଦାନି ତଦାରଖ କରିବେ। କେବଳ ଖୁଣ୍ଟିଆ ମେକାପ ଅଣି ପ୍ରାପ୍ୟ ବ୍ୟତୀତ ଅନ୍ୟ ସମସ୍ତ ଅମଦାନି ଜମା ଦିଆଯିବ। ପିଣ୍ଡିକା ଆଦାୟରେ କୌଣସି ବ୍ୟକ୍ତି ହସ୍ତକ୍ଷେପ କରିପାରିବେ ନାହିଁ।

ସୂଚନାଯୋଗ୍ୟ, ଜଗମୋହନ ମରାମତି ପାଇଁ ଗତ ୨୦୧୬ ଜାନୁଆରି ୨୮ ତାରିଖରୁ ଜଗମୋହନ ବନ୍ଦ ରହିଥିଲା। ଫଳରେ ଭକ୍ତମାନେ ଭିତରକାଠ (ଜଗମୋହନରୁ) ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ଥିଲେ। ବାହାରକାଠରୁ ଶ୍ରୀଜିଉଙ୍କ ଦର୍ଶନ କରୁଥିଲେ। ଏଏସ୍ଆଇ ମରାମତି କାମ କରୁଥିବାରୁ ଏହି ଦର୍ଶନ ବନ୍ଦ ରହିଥିଲା। ମାତ୍ର ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଖୋଲିବାକୁ ହାଇକୋର୍ଟ ଗତ ୧୦ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ।