ତହସିଲ ଅଫିସ୍ ଦୌଡି ଦୌଡି ନିରାଶ ହେଲେ, ନିଜ ଦେହରେ ନିଆଁ ଲଗେଇ ଜୀବନ ହାରିଲେ । ଛାତି ଥରାଇଦେବ ଜଗଦୀଶଙ୍କ ଦୁଃଖ କାହାଣୀ ।

79
  • ଜଗଦୀଶ ଚୌହାନ
  • ବୟସ: ୩୮ ବର୍ଷ
  • ଘର: ନୂଆପଡ଼ା ଜିଲ୍ଲା କଲ୍ୟାଣପୁର ଗାଁ

ମୃତ ଜଗଦୀଶ ଚୌହାନଙ୍କ ଦୁଃଖ କାହାଣୀ ଶୁଣିଲେ ଆପଣଙ୍କ ଛାତି ଥରିଯିବ । ଜମି ଥିଲା ହେଲେ ବିକିବା ପାଇଁ ମିଳିଲାନି ଅନୁମତି । ଋଣ ଟଙ୍କା ପରିଶୋଧ କରି ନପାରିବାରୁ ମାନସିକ ଅବସାଦରେ ରହିଥିଲେ । ତହସିଲ ଅଫିସ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ସେହି ଅଫିସ ଆଗରେ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଛନ୍ତି ଜଗଦୀଶ । ତେବେ ସରକାରୀ ବାବୁଙ୍କ ବେପରୁଆ ମନୋଭାବ ଜଣଙ୍କ ଜୀବନ ନେଇଯାଇଛି ।

ଋଣ ନେଇ ଜଗଦୀଶ କିଣିଥିଲେ ଲୁନା । କିନ୍ତୁ ରୁଣ ଟଙ୍କା ପରିଶୋଧ ନକରି ପାରିବାରୁ ଘନ ଘନ ତାଗିଦ କରିଥିଲା ଫାଇନାନ୍ସ କମ୍ପାନୀ । ଟଙ୍କା ସୁଝିବା ପାଇଁ ଜମି ବିକିବା ପାଇଁ ବର୍ଷେ ତଳୁ ଉଦ୍ୟମ କରିଥିଲେ ଜଗଦୀଶ । ଅନୁସୂଚିତ ଜାତିର ହୋଇଥିବାରୁ ୨୦୨୨ ଜାନୁଆରୀ ମାସରେ ନୂଆପଡ଼ା ଜିଲ୍ଲା ପ୍ରଶାସନକୁ ଅନୁମତି ମାଗିଥିଲେ । ଯାଞ୍ଚ ପାଇଁ ତହସିଲଦାରଙ୍କୁ ଦାୟିତ୍ୱ ଦେଇଥିଲେ ଉପ-ଜିଲ୍ଲାପାଳ । ୯୦ ଦିନ ଭିତରେ ରିପୋର୍ଟ ଦେବା ପାଇଁ ନିୟମ ଥିଲେ ବି କେହି ତାଙ୍କ କଥା ଶୁଣିନଥିଲେ । ବାରମ୍ବାର ତହସିଲ ଅଫିସ ଆସି ନିରାଶ ହେବା ପରେ ସେହି ଅଫିସ ପରିସରରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଶରୀରର ୮୦ ଭାଗ ପୋଡି ଯାଇଥିଲା । ବୁର୍ଲା ମେଡିକାଲ୍ରେ ତାଙ୍କର ମୃତ୍ୟୁ ହୋଇଛି ।

ଜଗଦୀଶଙ୍କ ମୃତ୍ୟୁ ପରେ ନୂଆପଡା ପୁଲିସ ସାଇଣ୍ଟିଫିକ ଟିମ୍ ଓ ଡଗସ୍କ୍ୱାର୍ଡ ନେଇ ତହସିଲଦାର ଅଫିସରେ ତଦନ୍ତ କରିଥିଲେ । ଅନ୍ୟପଟେ ଗ୍ରାମବାସୀ ଓ ପରିବାର ଲୋକେ କ୍ଷତିପୂରଣ ଦାବି ପୂରଣ ନହେବା ଯାଏଁ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି ଅଡି ବସିଥିଲେ । ପରେ ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ଜଗଦୀଶଙ୍କ ସ୍ତ୍ରୀଙ୍କୁ ଆରଏମଆରସିରେ ଚାକିରି, ପିଲାଙ୍କ ପାଠ ପଢା ପାଇଁ ସହାୟତା ଦେବା ସହ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଏହାପରେ ଜଗଦୀଶ ଚୌହ୍ୱାନଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

  • ଜଗଦୀଶଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?
  • ପ୍ରଶାସନିକ ଅବହେଳା ନା’ ଆଇନର ଗୋଲକଧନ୍ଦା

ଏହି ଘଟଣାରେ ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ନୂଆପଡ଼ା ତହସିଲଦାରଙ୍କୁ ନିଲମ୍ବନ କରିଛି ଜିଲ୍ଲା ପ୍ରଶାସନ । ଜମି କ୍ରୟ ବିକ୍ରୟ ପାଇଁ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ପାଇଁ ଭିନ୍ନ ନିୟମ ରହିଛି । କିନ୍ତୁ ପ୍ରଶାସନିକ ଅଧିକାରୀ ଲୋକଙ୍କ ଗୁହାରୀ ଶୁଣୁନାହାନ୍ତି । ଏଠି ପ୍ରଶ୍ନ ଉଠୁଛି…

  • ଅସୁବିଧା ସମୟରେ ଜମି ବିକ୍ରି ପାଇଁ ବାଧା ସୃଷ୍ଟି କରୁଛି କି ଆଇନ?
  • କାହିଁକି ନିଜ ଦାୟିତ୍ୱ ତୁଲାଉନାହାନ୍ତି ପ୍ରଶାସନିକ ଅଧିକାରୀ?