ରଥଯାତ୍ରା ବନ୍ଦ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଖିଲେ ମତ: କହିଲେ କରୋନା ବେଳେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ; ହେଲେ କମ ସେବାୟତ ଓ ପୁଲିସ ସହାୟତାରେ ହୋଇପାରିବ ଯାତ୍ରା

ସେପଟେ ପରିଚାଳନା କମିଟି ବୈଠକ ଜାରି

1,760

କନକ ବ୍ୟୁରୋ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି, ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ କୋର୍ଟଙ୍କ ଏଭଳି ନିଷ୍ପତି ସ୍ୱାଗତଯୋଗ୍ୟ । ତେବେ ଅଳ୍ପ ସେବାୟତ ଓ ପୁଲିସ ସହାୟତାରେ ରଥଯାତ୍ରା ଆୟୋଜନ ହୋଇପାରିବ ।

ଚଳିତ ବର୍ଷ ବଡଦାଣ୍ଡରେ ଗଡିବନି ମହାପ୍ରଭୁଙ୍କ ରଥ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଏବେ ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଚିନ୍ତା ବଢିଛି । କେମିତି, ଶ୍ରୀମନ୍ଦିରରେ ବଜାୟ ରହିବ ପରମ୍ପରା । କେମିତି ପାଳନ ହେବ ରଥ ଯାତ୍ରା ନୀତିକାନ୍ତି । ଏହାକୁ ନେଇ ଆଲୋଚନା ଜୋର ଧରିଛି । ନୀତି ସଂପର୍କରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିପାରନ୍ତି ପରିଚାଳନା କମିଟି । ଏମିତି ଅନେକ ଚର୍ଚ୍ଚା ଭିତରେ ସମସ୍ତଙ୍କ ନଜର ଅଛି ପରିଚଲାନା କମିଟି ବୈଠକ ନିଷ୍ପତି ଉପରେ । ଠାକୁର ଏବେ ଅଣସର ଘରେ ଅଛନ୍ତି । ତେଣୁ ଏପରି ସମୟରେ ରଥ ଯାତ୍ରା ଆୟୋଜନ ନହେଲେ ଆଗକୁ କଣ ଓ କେମିତି ହେବ, ସେନେଇ ଆଜିର ପରିଚାଳନା କମିଟି ବୈଠକରେ ଆଲୋଚନା ହେବ । ସେପଟେ ସୁପ୍ରିମକୋର୍ଟଙ୍କ ରାୟ ପ୍ରତିବାଦରେ ଆଜି ପୁରୀରେ ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ଜଗନ୍ନାଥ ସେନା । ସୁରକ୍ଷାକୁ ନଜରରେ ରଖି ପୁରୀ ସହରରେ ଆଗୁଆ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ପୁରୀ ସହରର ପ୍ରତ୍ୟକ ଗଳିକନ୍ଦି ଓ ଛକ ସହିତ ବଡଦାଣ୍ଡରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ସେପଟେ ରଥଯାତ୍ରା ବନ୍ଦ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ସମସ୍ତେ ମାନିବେ । କିନ୍ତୁ ସରକାରଙ୍କ ଏଥିପାଇଁ ଆନ୍ତରିକତା ନଥିଲା । ବର୍ତମାନ ନୀତିକାନ୍ତି କେମିତି ହେବ ସେ ନେଇ ସରକାର ଆନ୍ତରିକତା ଓ ନିଷ୍ଠାର ସହ ଚିନ୍ତା କରନ୍ତୁ ।