ସୁସ୍ଥ ହେଉଛି ଯୋଡ଼ା ମୁଣ୍ଡ ଶିଶୁ ଜଗା : ଡାକ୍ତରଖାନାର ସ୍ୱତନ୍ତ୍ର କ୍ୟାବିନରୁ ବହାରି ବାପାଙ୍କ ସହ ବୁଲିଲା ଫୁଲବାଣୀ ବଜାର

ଚାଲି ଚାଲି ଦୋକାନକୁ ଯାଇ ଜୋତା କିଣିଲା ଜଗା

134

କନକ ବ୍ୟୁରୋ : ସୁସ୍ଥ ହେଉଛି ବହୁ ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା । ଡାକ୍ତରମାନଙ୍କ ସ୍ୱତନ୍ତ୍ର ଯତ୍ନରେ ସେ ଏବେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କ୍ୟାବିନରେ ରହୁଛି । ଏବେ ସେ ସାଧାରଣ ରୋଗୀଙ୍କ ଭଳି କ୍ୟାବିନରେ ସବୁ ସମୟ କାଟୁନାହିଁ । ଖେଳୁଛି, ବୁଲୁଛି, ବାପାଙ୍କ ସହ ମାର୍କେଟ୍ ଯାଉଛି । ଜଗାକୁ ଫୁଲବାଣୀର ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଥିଲା । ବାପା ଭୂୟାଁ କହଁରଙ୍କ ସହ କ୍ୟାବିନରୁ ବାହାରି ଅଟୋରେ ସହର ବୁଲିଥିଲା ।

ସୋମବାର ସକାଳେ ଜଗାକୁ ଫୁଲବାଣୀର ମୁଖ୍ୟରାସ୍ତାରେ ଦେଖିବାକୁ ମିଳିଥିଲା । ବାପା ଭୂୟାଁ କହଁରଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ବତନ୍ତ୍ର କ୍ୟାବିନ୍‌ରୁ ବାହାରି ଅଟୋରେ ସେ ସହର ବୁଲିଥିଲା । ଗୋପବନ୍ଧୁ ଛକରେ ପହଞ୍ଚିବା ପରେ ଜଗା ସେଠାରୁ ଚାଲି ଚାଲି ପୋଷ୍ଟ୍ ଅଫିସ୍ ଛକ ପର୍ଯ୍ୟନ୍ତ ଯାଇଥିଲା । ଛକ ନିକଟସ୍ଥ ଏକ ଦୋକାନରୁ ଜଗା ପାଇଁ ନୂଆ ଚପଲ୍ କିଣାଯାଇଥିଲା । ପରେ ଜଗା ବାପାଙ୍କ ସହ ପୁଣି ଡାକ୍ତରଖାନାକୁ ଫେରିଥିଲା । ତେବେ ଜଗାକୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମିଥିଲା । ଏହାସହ ବାପା ବି ତା ସହ ମିଶି ସେଲ୍‌ଫି ନେଇଥିଲେ ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ୨୦୧୭ ଅକ୍ଟୋବର ମାସରେ ଦିଲ୍ଲୀ ଏମ୍‌ସରେ ଏକ ବିରଳ ଅସ୍ତ୍ରୋପଚାର ଦ୍ବାରା ଅଲଗା କରାଯାଇଥିଲା । ସେଠାରେ ଦୀର୍ଘ ଦିନ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ଉଭୟଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଦୁର୍ଭାଗ୍ୟବଶତଃ ବଳିଆର ମୃତ୍ୟୁ ହୋଇଯାଇଥିଲା । ଜଗା ସୁସ୍ଥ ହୋଇଯିବା ପରେ ତାକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ।