ଅପରେସନ ଟେବୁଲରେ ଜଗା-ବଳିଆ : ଯୋଡାମୁଣ୍ଡ ଅଲଗା କରିବାକୁ ଚାଲିଛି ସବୁଠାରୁ ଜଟିଳ ଅପରେସନ

52

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ଚାଲିଛି ବିଶ୍ୱର ଏକ ବିରଳ ଅପରେସନ୍ । ପ୍ରାୟ ୨୦ ଜଣ ଡାକ୍ତର ଲାଗିଛନ୍ତି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅପରେସନରେ । ବୁଧବାର ସକାଳ ୯ଟାରୁ ଆରମ୍ଭ ହୋଇଛି ଦୁଇ ଶିଶୁଙ୍କ ମୁଣ୍ଡ ଅଲଗା କରିବା ପ୍ରକ୍ରିୟା । ପୂର୍ବରୁ ଏଭଳି ଅପରେସନ ବିଶ୍ୱର ଅନ୍ୟ କୌଣସି ହସପିଟାଲରେ ହୋଇନଥିବା ବେଳେ କନ୍ଧମାଳର ଦୁଇ ଶିଶୁ ଜଗାବଳିଆଙ୍କ ଉପରେ ଏବେ ସାରା ବିଶ୍ୱର ଡାକ୍ତର ମାନେ ନଜର ରଖିଛନ୍ତି । କୁହାଯାଉଛି, ପ୍ରାୟ ୨୫ ରୁ ୨୭ ଘଂଟା ଧରି ଏହି ଅପରେସନ ଚାଲିବ ।

ଚିକିତ୍ସା ବିଜ୍ଞାନରେ ଜଗା ବଳିଆଙ୍କ କେସ୍ ଏକ ବିରଳ ଘଟଣା । କାରଣ, ବଳିଆର ରକ୍ତ ସଂଚାଳନ ଜଗା ଦେହକୁ ହେଉଥିଲା ଏବଂ ବଳିଆକୁ ଦିଆଯାଉଥିବା ତରଳ ଖାଦ୍ୟ ଜଗା ଦେହକୁ ଯାଉଥିଲା । ତେଣୁ କୃତ୍ରିମ ଶିରାପ୍ରଶିରାର ଢାଂଚା ତିଆରି କରି ବଳିଆ ଦେହରେ ରୋପଣ କରିବା ପରେ ଦୁଇ ଜଣଙ୍କ ମସ୍ତିଷ୍କକୁ ଅଲଗା କରିବାର ସବୁଠାରୁ ଜଟିଳ ପ୍ରକ୍ରିୟା ଆରମ୍ଭ ହେବ । ଗତ ଅଗଷ୍ଟ ୨୮ ରେ ଦୁଇ ଭାଇଙ୍କୁ ଏକ ୪୦ ଜଣିଆ ଡାକ୍ତରୀ ଦଳ ପ୍ରାୟ ୨୦ ଘଂଟା ଧରି ଅପରେସନ କରିଥିଲେ । ଆଉ ଏହି ପର୍ଯ୍ୟାୟରେ ବଳିଆର ରକ୍ତ ସଂଚାଳନକୁ ଅନେକାଂଶରେ ଜଗାଠାରୁ ଅଲଗା କରାଯାଇଥିଲା ।

କନ୍ଧମାଳର ଏକ ଗରିବ ପରିବାରର ଜଗା ବଳିଆଙ୍କ ଉପରେ ବିଶ୍ୱର ଏକ ଜଟିଳ ତମ ଅପରେସନ କରାଯାଉଛି । ସାରା ଓଡିଶା ବି ପ୍ରାର୍ଥନା କରୁଛି ଡାକ୍ତରଙ୍କ ଉଦ୍ୟମ ସଫଳ ହେବ ଏବଂ ଅଲଗା ଅଲଗା ହୋଇ ଜଗା ବଳିଆ ଘରକୁ ଫେରିଆସିବେ ।