ନୂଆଦିଲ୍ଲୀ ଏମ୍ସରେ ଜଗା-ବଳିଆ : ଜଗା ଅସୁସ୍ଥ, ଶ୍ୱାସକ୍ରିୟାରେ ସମସ୍ୟା

20

କନକ ବ୍ୟୁରୋ: ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଡାକ୍ତରୀ ଦଳ ଲଗାତାର ତଦାରଖ କରୁଛନ୍ତି । ଏହାସତ୍ତ୍ୱେ ଦୁଇଦିନ ହେଲା ହଠାତ ଜଗାର ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇଛି। ଜଗାର ଶ୍ୱାସକ୍ରିୟା ସମସ୍ୟ ଦେଖାଯିବା ପରେ ଅକ୍ସିଜେନ୍ ମାସ୍କ ଲଗାଯାଇଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି । ଅଗଷ୍ଟ ୨୮ ତାରିଖରେ ଜଗା-ବଳିଆଙ୍କ ମାରାଥନ ୨୫ ଘଣ୍ଟା ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା । ଯେତେବେଳେ ଭେଣ୍ଟିଲେଟରରୁ ବାହାର କରି ଦୁଇ ଶିଶୁଙ୍କୁ ଆଇସିୟୁ ସ୍ଥାନାନ୍ତର କରାଯାଇଥିଲା ସେତେବେଳେ ମଧ୍ୟ ଜଗାର ଶ୍ୱାସକ୍ରିୟା ସମସ୍ୟା ଦେଖାଦେଇଥିଲା । ହେଲେ ଏହା ଆଦୌ ଚିନ୍ତାର କାରଣ ନୁହେଁ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ତେବେ ବଳିଆର ଶାରୀରିକ କ୍ଷମତା ଜଗାର କ୍ଷମତାଠାରୁ ଦୁର୍ବଳ ଥିବା ବେଳେ ଜଗାକୁ ଦୁଇଥର ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଦେଇଛି । ତେବେ ଏହା ଅସ୍ୱାଭାବିକ ନୁହେଁ ବୋଲି ଡାକ୍ତର କହିଛନ୍ତି । ଜଗା-ବଳିଆଙ୍କ ସ୍ୱାସ୍ଥ୍ୟ ସଂପର୍କରେ ନିୟିମିତ ସ୍ୱାସ୍ଥ୍ୟ ବୁଲେଟିନ ଜାରି କରାଯାଉ ନଥିଲେ ମଧ ପ୍ରତ୍ୟେକ ସୂଚନା ସାର୍ବଜନୀନ କରିବା ପୂର୍ବରୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରାଯାଉଛି । ପ୍ରତ୍ୟେକ ଦିନ ୭ରୁ ୮ ଜଣ ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ତଦାରଖ କରୁଛନ୍ତି ଏବଂ ଆବଶ୍ୟକ ପରାମର୍ଶ ମଧ୍ୟ ଦିଆଯାଉଛି । ପରବର୍ତ୍ତୀ ଅପରେସନ ନଭେମ୍ବରରେ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଛି ।