ପୁଣି ବାଜି ମାରିନେଲା ଚେନ୍ନାଇ : ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇଲା ଚେନ୍ନାଇ ସୁପର କିଙ୍ଗସ୍

383

କନକ ବ୍ୟୁରୋ : ପୁଣି ବାଜି ମାରିନେଲା ଚେନ୍ନାଇ । ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇ ନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ରୋମାଂଚକର ମ୍ୟାଚରେ ଶେଷ ବଲରେ ଧୋନୀଙ୍କ ଚେନ୍ନାଇ ଟିମ୍ ବିଜୟୀ ହୋଇଛି । ପୁରା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚରେ ଭରିଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୧୪ ରନର ବିଶାଳ ସ୍କୋର କରିଥିଲେ । ବି.ସାଇ ସୁଦର୍ଶନ ମାତ୍ର ୪୭ଟି ବଲରୁ ଧୂଆଁଧାର ୯୬ ରନ୍ କରିଥିଲେ ।

ଶୁଭମନ ଗିଲ ୩୯ ଓ ରିଦ୍ଧିମାନ ଶାହା ୫୪ ରନର ଇନିଙ୍ଗସ୍ ଖେଳିଥିଲେ । ହେଲେ ପ୍ରଥମ ଇନିଙ୍ଗସ୍ ସରିବା ପରେ ବର୍ଷା ଆସିଯାଇଥିଲା । ଖେଳ ରୋକିବାକୁ ପଡ଼ଥିଲା । ଫଳରେ ଚେନ୍ନାଇ ପାଇଁ ଟାର୍ଗେଟ ବଦଳା ଯାଇଥିଲା । ୧୫ ଓଭରରେ ଚେନ୍ନାଇ ପାଇଁ ବିଜୟ ଲକ୍ଷ୍ୟ ରହିଥିଲା ୧୭୧ ରନ୍ । ଜବାବରେ ଚେନ୍ନାଇ ପକ୍ଷରୁ ମଧ୍ୟ ଧୂଆଁଧାର ବ୍ୟାଟିଂ ଆରମ୍ଭ ହୋଇଥିଲା । ରୁତୁରାଜ ଗାଏକ୍ୱାଏଡ ଓ ଡେଭିଡ କନୱେ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଦେଇଥିଲେ । ସେହିପରି ଅମ୍ବାଟି ରାଇଡୁ ୮ ବଲରୁ ୧୯ ଓ ଅଜିଙ୍କ୍ୟ ରାହାଣେ ୧୩ ବଲରୁ ୨୭ ରନ କରି ଆଉଟ ହୋଇଯାଇଥିଲେ ।

ତେବେ ଧୋନୀ ପଡ଼ିଆକୁ ଆସିବା ପରେ ଦର୍ଶକମାନେ ବେଶ୍ ଉତ୍ସାହିତ ହୋଇଯାଇଥିଲେ ବି ମାହି ମାତ୍ର ଗୋଟିଏ ବଲରେ ଶୂନରେ ଆଉଟ ହୋଇ ଫେରିଯାଇଥିଲେ । ତେବେ ଶୁଭମ ଦୁବେ ଓ ରବୀନ୍ଦ୍ର ଜାଡ଼େଜା ଚମତ୍କାର ସଟ୍ ମାରି ଚେନ୍ନାଇ ଦଳର ଆଶା ଜୀବିତ ରଖିଥିଲେ । ଶେଷ ଦୁଇ ବଲରେ ୧୦ ରନ୍ ଆବଶ୍ୟକ ହେଉଥିବା ବେଳେ ପଂଚମ ବଲରେ ଜାଡ଼େଜା ଆକର୍ଷଣୀୟ ଛକା ମାରିଥିଲେ ।

ଶେଷ ବଲରେ ଚେନ୍ନାଇ ଖେଳାଳି ୪ ରନ୍ କରିନେଇଥିଲେ । ଏହାସହ ପଂଚମ ଥର ପାଇଁ ଆଇପିଏଲ ଟ୍ରଫି ହାତେଇ ନେଇଛି ଚେନ୍ନାଇ ସୁପରକିଙ୍ଗସ୍ । ସେପଟେ ଚଳିତ ଆଇପିଏଲ ପରେ ଧୋନୀ ଅବସର ନେଇଯିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଅସନ୍ତା ଆଇପିଏଲରେ ଖେଳିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି ଧୋନୀ ।