କନକ ବ୍ୟୁରୋ: ଦ୍ୱିତୀୟ ଦିନିକିଆରେ ଅଷ୍ଟେଲିଆକୁ ବଡ଼ ବ୍ୟବଧାନରେ ହରାଇ ଦେଇଛି ଭାରତ । ବର୍ଷା ପ୍ରଭାବିତ ମ୍ୟାଚରେ ୯୯ ରନରେ ବିଜୟୀ ହେବା ସହ ସିରିଜକୁ ବି କବଜା କରି ନେଇଛି ଟିମ୍ ଇଣ୍ଡିଆ । ଇନ୍ଦୋରରେ ଆଜି ଯେମିତି ବର୍ଷା ହୋଇଥିଲା, ସେହିପରି ଭାରତୀୟ ବ୍ୟାଟରଙ୍କ ରନ୍ ବର୍ଷା ମଧ୍ୟ ଦେଖିବାକୁ ମିଳିଥିଲା । ଧୁଆଁଧାର ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୪୦୦ ରନ୍ର ବିଶାଳ ଟାର୍ଗେଟ ଦେଇଥିଲା ଭାରତ । ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ବେଳେ ବର୍ଷା ହେବାରୁ ଡିଏଲ୍ଏସ୍ ପଦ୍ଧତି ଅନୁସାରେ ୩୩ ଓଭରରେ ଅଷ୍ଟ୍ରେଲିଆ ପାଇଁ ୩୧୭ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିଲା । ତେବେ ୨୮.୨ ଓଭରରେ ୨୧୭ ରନ୍ କରି ଅଲ୍ଆଉଟ୍ ହୋଇ ଯାଇଥିଲା ଅଷ୍ଟ୍ରେଲିଆ ।
ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା । ମାତ୍ର ୮ ରନ୍ କରିଥିବା ବେଳେ ଓପନର ରୁତୁରାଜ ଗାଇକ୍ୱାଡ୍ ଆଉଟ୍ ହୋଇଥିବା ବେଳେ ପାଳି ସମ୍ଭାଳିଥିଲେ ଶୁବମନ୍ ଗିଲ୍ ଓ ଶ୍ରେୟସ ଆୟାର । ପଡିଆର ଚାରିପଟେ ଚୈକା ଛକା ବର୍ଷା କରି ଉଭୟ ଶତକ ହାସଲ କରିଥିଲେ । ଶୁବମନ ଗିଲ୍ ୧୦୪ ଓ ଶ୍ରେୟସ ଆୟାର ୧୦୫ ରନ୍ କରିଥିଲେ । ଅଧିନାୟକ କେଏଲ ରାହୁଲ ୫୨ ରନ୍ ଓ ଇଶାନ୍ କିଷନ୍ ୩୧ ରନ୍ କରି ପ୍ୟାଭିଲିୟନକୁ ଫେରିଥିଲେ । ତେବେ ସୂର୍ଯ୍ୟ କୁମାର ଯାଦବ ନିଜ ଅନ୍ଦାଜ୍ରେ ବ୍ୟାଟିଂ କରି ଦର୍ଶକଙ୍କ ମଧ୍ୟରେ ରୋମାଂଚ ବଢାଇ ଦେଇଥିଲେ । ମାତ୍ର ୩୭ ବଲ୍ ଖେଳି ୭୨ ରନ୍ କରିବା ସହ ଅପରାଜିତ ରହିଥିଲେ ସୂର୍ଯ୍ୟ କୁମାର ଯାଦବ । ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ଭାରତ ୩୯୯ ରନ୍ କରିଥିଲା ।
୪୦୦ ରନର ବିଜୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ । ମ୍ୟାଥୁନ୍ ସର୍ଟ ୯ ରନ୍ କରିଥିବା ବେଳେ ତାଙ୍କୁ ଆଉଟ୍ କରି ଦେଇଥିଲେ ପ୍ରସିଦ୍ଧ କ୍ରିଷ୍ଣା । ସେହିପରି ଅଧିନାୟକ ଷ୍ଟଭେନ୍ ସ୍ମିଥ୍ ଖାତା ଖୋଲିବା ପୂର୍ବରୁ ତାଙ୍କୁ ପ୍ୟାଭିଲିୟନକୁ ଫେରାଇ ଦେଇଥିଲେ ପ୍ରସିଦ୍ଧ କ୍ରିଷ୍ଣା । କିଛି ସମୟ ପାଇଁ ଡେଭିଡ୍ ୱାର୍ଣ୍ଣର ପ୍ରଭାବଶାଳୀ ବ୍ୟାଟିଂ କରିଥିଲେ । ୫୩ ରନ୍ କରିଥିବା ବେଳେ ୱାର୍ଣ୍ଣରଙ୍କୁ ଆଉଟ୍ କରି ଦେଇଥିଲେ ରବିଚନ୍ଦ୍ରନ ଅଶ୍ୱିନ୍ । ଏହା ପରେ ଭୁଶୁଡି ପଡିଥିଲା ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍ । ଶେଷ ଆଡକୁ ଦ୍ରୁତ ରନ୍ କରି ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ ସେନ୍ ଆବୋଟ୍ । ୩୬ଟି ବଲ୍ ଖେଳି ୫୪ ରନ କରିଥିବା ବେଳେ ତାଙ୍କୁ କ୍ଲିନ୍ ବୋଲ୍ଡ କରି ଦେଇଥିଲେ ରବୀନ୍ଦ୍ର ଜାଡେଜା । ୨୮ ଓଭର ୨ଟି ବଲ୍ ଖେଳି ୨୧୭ ରନ୍ କରି ଅଲ୍ ଆଉଟ୍ ହୋଇଥିଲା ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଁଏ ୱିକେଟ୍ ନେଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୨ଟି ଓ ମହମ୍ମଦ ସାମିଙ୍କୁ ମିଳିଥିଲା ଗୋଟିଏ ୱିକେଟ୍ । ଶ୍ରେୟସ ଆୟାରଙ୍କୁ ଫ୍ଲୋୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ୩ଟିକିଆ ସିରିଜରେ ୨-୦ରେ ଆଗୁଆ ରହି ସିରିଜ୍ କବଜା କରି ନେଇଛି ଟିମ୍ ଇଣ୍ଡିଆ ।