ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ହୋଇଥିବା ବିବାଦ ଓ ବିରୋଧ ପ୍ରଦର୍ଶନ ପରେ ଫିଲ୍ମର ରିଲିଜକୁ ଲମ୍ବା ସମୟ ପାଇଁ ଘୁଂଚାଇ ଦିଆଯାଇଛି । ଏହି ଫିଲ୍ମ କେବେ ରିଲିଜ ହେବ ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । କିନ୍ତୁ ଏତେ ମାତ୍ରାରେ ବିରୋଧ ପରେ ମଧ୍ୟ ଅନେକ ଅଭିନେତ୍ରୀ ସଂଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତୀ’ ହେବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି ।
ଏହି ତାଲିକାରେ ବଲିଉଡର ବବଲି ଗର୍ଲ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ମଧ୍ୟ ସାମିଲ ହୋଇଛି । ଜ୍ୟାକଲିନ ଏପର୍ଯ୍ୟନ୍ତ ନିଜ କ୍ୟାରିଅରରେ ଅଧିକାଂଶ ରୋମାଂଟିକ କମେଡି ଫିଲ୍ମରେ ନଜର ଆସିଛନ୍ତି । କିନ୍ତୁ ଏହି ସିଂହଳୀ ସୁନ୍ଦରୀ ଆଶୁତୋଷ ଗୋୱାରିକର ଓ ସଂଜୟ ଲୀଲା ଭଂସାଲୀଙ୍କ ପରି ନିର୍ଦ୍ଦେଶକଙ୍କ ପିରିୟଡିକ ଫିଲ୍ମରେ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । କେବଳ ଏହା ନୁହେଁ ଜ୍ୟାକଲିନ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବାୟୋପିକରେ କାମ କରିବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ।
ଫିଲ୍ମ ବାଛିବା ବିଷୟରେ ନ୍ୟୁଜ ଏଜେଂସି ଆଇଏଏନଏସକୁ ନିଜର ମତ ଦେଇ ଜ୍ୟାକଲିନ କହିଛନ୍ତି ଯେ ‘ମୁଁ ଅନେକ ରୋମାଂଟିକ କମେଡି ଫିଲ୍ମ କରିଛି କିନ୍ତୁ ଏବେ ମୁଁ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ପଦ୍ମାବତୀ ପରି ଚରିତ୍ରରେ ଅଭିନୟ କରିବା ପାଇଁ ଚାହୁଁଛି । ଆଶୁତୋଷ ଏବଂ ସଂଜୟଙ୍କ ଫିଲ୍ମରେ କାମ କରିବା ମୋର ଅଭିଳାଷ ।’
ଗତ କିଛି ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରୀରେ ହେଉଥିବା ବାୟୋପିକ ଜ୍ୟାକଲିନଙ୍କୁ ଖୁବ ପସନ୍ଦ ଆସିଛି । ଏହାକୁ ନେଇ ସେ କହିଛନ୍ତି ଯେ ‘ବାୟୋପିକରେ କାମ କରିବା ଦ୍ୱାରା ଜଣେ ଅନେକ କିଛି ଶିଖିପାରିବ । ଯେହେତୁ ମୁଁ ଫିଟନେସକୁ ପ୍ରଥମିକତା ଦିଏ ତେଣୁ ମୁଁ ଖେଳାଳୀଙ୍କ ଜୀବନ ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିବାକୁ ଚାହେଁ । ସାନିଆଙ୍କ କ୍ୟାରିଅର ମୋତେ ଖୁବ ପ୍ରଭାବିତ କରେ । ଆଶା କରୁଛି ଯେ ଯଦି ସାନିଆଙ୍କ ଉପରେ ଫିଲ୍ମ ନିର୍ମାଣ କରାଯାଏ ତେବେ ମୁଁ ତାଙ୍କ ଚରିତ୍ରରେ ଅଭିନୟ କରିବାକୁ ଚାହେଁ ।’
ବର୍ତ୍ତମାନ ବଲିଉଡର ଅନେକ ଅଭିନେତ୍ରୀ ହଲିଉଡରେ କାମ କରୁଛନ୍ତି ଏହି ତାଲିକାରେ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ନାମ ଆଗରେ ରହିଛି । ହଲିଉଡରେ ଅଭିନୟ କରିବା ପ୍ରଶ୍ନରେ ଜ୍ୟାକଲିନ ଆଇଏଏନଏସ କୁ କହିଛନ୍ତି ଯେ ସେ ହଲିଉଡରେ କାମ କରିବା ପରିବର୍ତ୍ତେ ବଲିଉଡରେ କାମ କରିବା ପାଇଁ ପସନ୍ଦ କରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/kacklin.jpg)