ମହାଠକ ଜାଲରେ ଜ୍ୟାକଲିନ୍ : ଇଡି କଲା ଖୁଲାସା

620

କନକ ବ୍ୟୁରୋ: ବ୍ୟାପକ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରକୁ ନେଇ ଖୁଲାସା କରିଛିି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦୦ କୋଟି ଅର୍ଥ ଜାଲିଆତି ଅଭିଯୋଗରେ ଗିରଫ ହୋଇଥିବା ଚନ୍ଦ୍ରଶେଖରକୁ ଜେରା କରିବା ପରେ ଇଡି ଯେଉଁ ଚାର୍ଜସିଟ ପ୍ରସ୍ତୁତ କରିଛି ତାହା ଜାଣି ଆଶ୍ଚର୍ଯ୍ୟ ହେବେ । ଠକେଇ ଟଙ୍କାରେ ବଲିଉଡ ବିୟୁଟିଙ୍କ ସହ ମଉଜ କରୁଥିଲା ସୁକେଶ ।

ଜେରାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଓ ନୋରା ଫତେହିଙ୍କୁ ନେଇ ସତ ଉଗାଳିଛି ଅଭିଯୁକ୍ତ ସୁକେଶ, ଯାହା ଚାର୍ଜସିଟରେ ଉଲ୍ଲେଖ ଅଛି । ଇଡି ତଥ୍ୟ ମୁତାବକ, ସୁକେଶ ଜ୍ୟାକଲିନଙ୍କୁ ୧୦ କୋଟି ଟଙ୍କାର ଉପହାର ଦେଇଛି । ଏହାସହ ଜ୍ୟାକଲିନଙ୍କୁ ଦେଇଛି ଦାମୀ ହୀରା ଅଳଙ୍କାର, ୩୬ ଲକ୍ଷ ଟଙ୍କାର ୪ଟି ପର୍ସିଆନ୍ ବିଲେଇ, ୫୨ ଲକ୍ଷ ଟଙ୍କାର ଏକ ଘୋଡା ।

ସୂଚନା ମୁତାବକ, ସୁକେଶ ଗିରଫ ହୋଇ ଜେଲରେ ଥିବାବେଳେ ସେଠାରୁ ଫୋନରେ ଜ୍ୟାକଲିନ୍ ସହ କଥା ହେଉଥିଲା । ଜାମିନରେ ମୁକୁଳିବା ପରେ ଚେନ୍ନାଇ ପାଇଁ ଏକ ଚାଟାର୍ଡ ପ୍ଲେନ୍ ବୁକ୍ କରିଥିଲା । ଜ୍ୟାକଲିନ ପାଇଁ ମଧ୍ୟ ମୁମ୍ବାଇରୁ ଦିଲ୍ଲୀ ପାଇଁ ଏକ ଫ୍ଲାଇଟ୍ ବୁକିଙ୍ଗ କରିଥିଲା ।ଏହାପରେ ଦୁହେଁ ଚେନ୍ନ୍ନାଇର ଏକ ଦାମୀ ହୋଟେଲରେ ରହିଥିଲେ ।ସୁକେଶ ଜ୍ୟାକଲିନଙ୍କ ଭାଇ ଭଉଣୀଙ୍କୁ ମଧ୍ୟ ମୋଟା ଅଙ୍କର ଟଙ୍କା ଦେଇଥିବା କହିଛି । ତେବେ ଏହି ପ୍ରାଇଭେଟ୍ ଜେଟ୍ରେ ଯାତ୍ରା ପାଇଁ ସୁକେଶ ୮ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।

କେବଳ ଏତିକି ନୁହେଁ ଅଭିନେତ୍ରୀ ନୋରା ଫତେହି ପାଇଁ ମଧ୍ୟ ସୁକେଶ ଅନେକ ଅର୍ଥ ଖର୍ଚ୍ଚ କରିଥିବା ଇଡି ପକ୍ଷରୁ ପ୍ରକାଶ ପାଇଛି । ସୁକେଶ ନୋରା ଫତେହିଙ୍କୁ ଏକ ଦାମୀ ଆଇଫୋନ୍ ସହ ବିଏମଡବ୍ଲୁ କାର ଓ ୧କୋଟି ଟଙ୍କା ଉପହାର ଦେଇଥିବା ଜଣାପଡିଛି ।

ଘଟଣା ଥିଲା ଏପରି…
ଏହି ମାମଲାରେ ଯାଞ୍ଚ ଏଜେନ୍ସି ସବୁଠୁ ପ୍ରଥମେ ଦୀପକ ରମନାନୀ ଓ ତାଙ୍କ ଭାଇଙ୍କୁ ଗିରଫ କରିଥିଲା । ଏହି ଦୁଇଜଣ ସୁକେଶଙ୍କୁ ଟଙ୍କା ହେରଫେର ଘଟଣାରେ ସାହାଯ୍ୟ କରିବାରେ ମୁଖ୍ୟ ଥିବା କୁହାଯାଇଛି । ଏହାପରେ ପୋଲିସ ସୁକେଶ ଓ ତା’ ପତ୍ନିଙ୍କୁ ଗିରଫ କରି ପଚରାଉଚୁରା କରିଥିଲା । କଳାଧନକୁ ଧଳା କରିବାରେ ସୁକେଶ ଏକ ବଡ ମାଧ୍ୟମ । କଳାଧନରେ ସୁକେଶ ଅନେକ ମୂଲ୍ୟବାନ ସମ୍ପତ୍ତିର ମାଲିକ ହୋଇଥିଲା ।