ରାଜ୍ୟ ଓ ରାଜ୍ୟ ବାହାରେ ମିଳିବ ମାଲକାନଗିରି ପଣସ ଚିପସ୍ । ୨୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ନେଇଛନ୍ତି ତାଲିମ ।

178

କନକ ବ୍ୟୁରୋ : ରାଜ୍ୟ ଓ ରାଜ୍ୟ ବାହାରେ ମିଳିବ ପଣସ ଚିପସ୍ । ଗାଁ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରିବେ ପଣସ ଚିପସ୍ । ତାଲିମ ଠାରୁ ଆରମ୍ବ କରି ଆବଶ୍ୟକ ସାମଗ୍ରୀ ଖର୍ଚ୍ଚ ବହନ କରିବ ନାଲକୋ ଫାଉଣ୍ଡେସନ । । ରାଜ୍ୟ ତଥା ରାଜ୍ୟ ବାହାରେ ମିଳିବ କୋରାପୁଟ ପଣସ ଚିପସ୍ର ସ୍ୱାଦ । ବର୍ତମାନ ସୁଧା ଜିଲ୍ଲାରେ ୨୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ତାଲିମ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ସାଧାରଣତଃ ଆପଣମାନେ ଅନେକ ପ୍ରକାରର ଚିପ୍ସ ଖାଇଥିବେ । ଆଳୁ ଚିପ୍ସ, ସାରୁ ଚିପ୍ସ, କଦଳୀ ଚିପ୍ସ ଏମିତି ଅନେକ ଚିପ୍ସର ମଜା ଆପଣ ନେଇଥିବେ । କିନ୍ତୁ ଏବେ ବଜାରରେ ମିଳିବ ପଣସ ଚିପ୍ସ । କୋରାପୁଟ ଜିଲ୍ଳାରେ ପ୍ରଚୁର ପରିମାଣରେ ପଣସ ଆଦାୟ ହୁଏ । ମାତ୍ର ଉଚିତ ବଜାରର ଅଭାବ ଯୋଗୁଁ ପଡ଼ୋଶୀ ରାଜ୍ୟର ବ୍ୟବସାୟୀ ଶସ୍ତା ଦରରେ ପଣସ କିଣି ନେଉଥିବା ବେଳେ ବାକି ପଣସ ଚାଷୀର ଘରେ ପଚି ସଢ଼ି ଯାଉଥିଲା । ଏହାର ପ୍ରକ୍ରୀୟାକରଣ କରି ଏଥିରୁ ଚିପ୍ସ କରାଯାଉଥିଲେ ମଧ୍ୟ କରୋନା କାଳରେ ତାହା ମାନ୍ଦା ପଡ଼ିଥିଲା ।

ଚାହିଦା ଥିଲେ ମଧ୍ୟ ଆବଶ୍ୟକ ଅନୁସାରେ ଏହାର ଉତ୍ପାଦନ ହୋଇ ପାରୁନଥିଲା । ଏସବୁକୁ ଆଖି ଆଗରେ ରଖି ନାଲକୋ ଫାଉଣ୍ଡେସନ ସହଯୋଗର ହାତ ବଢାଇବା ସହ ଜିଲ୍ଳାର ପ୍ରତି ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିପରି ଏହି ପଣସ ଚିପ୍ସକୁ ପସ୍ତୁତି କରିବେ ତାର ସମସ୍ତ ପଦକ୍ଷେପ ନିଜ ହାତକୁ ନେଇଛି । କରୋନା କଟକଣା ଭିତରେ ଜୀବିକା ହରାଇ ବସିଥିବା ଆଦିବାସୀ ମହିଳାଙ୍କୁ ଏହି ପଣସ ଚିପ୍ସ ଦେଖାଇଛି ରୋଜଗାରର ବାଟ । ବର୍ତ୍ତମାନ ସୁଧା ୨୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଳାର ବିଭିନ୍ନ ଅଚଂଳର ତାଲିମ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଗଛରେ ଟାଣ ଥିବା ଅବସ୍ଥାରେ ପଣସକୁ କାଟି ଆଣି ସେଥିରୁ ପଣସ କୋଷା ବାହାର କରାଯାଏ । ପରେ ତାକୁ ଛୋଟ ଛୋଟ କାଟି ଚିପସ୍ ତିଆରି କରାଯାଏ । ଏହି ପଣସରୁ ସ୍ୱାଦିଷ୍ଟ ଭିଟାମିନ ଓ ପ୍ରୋଟିନ ଯୁକ୍ତ ଚିପସ୍ ବିନା କେମିକାଲରେ ତିଆରି ହେଉଥିବାରୁ ବଜାରରେ ଏହାର କିଲୋପିଛା ଦାମ୍ ୫୦୦ ଟଙ୍କା ।

ଗୋଟିଏ ପଣସରୁ ୨ ରୁ ୩ କିଲୋ ଚିପସ୍ ବାହାରୁଛି । ମହିଳା ମାନେ ପ୍ରତି ୧୦୦ ଗ୍ରାମ ହିସାବରେ ପ୍ୟାକେଟ ତିଆରି କରୁଛନ୍ତି । ଘରର ପୁରୁଷ ମାନେ ମଧ୍ୟ ସହଯୋଗ କରୁଛନ୍ତି । ଘରର କାମ ସରିଗଲା ପରେ ସଂଘର ମହିଳା ମାନେ ଏକତ୍ରୀତ ହୋଇ ଏହି କାମକୁ ଆରମ୍ଭ କରନ୍ତି । ଏଭଳି ଏକ ଜୀବିକାର ବାଟ ମିଳିଥିବାରୁ ଆଦିବାସୀ ମହିଳା ମାନେ ମଧ୍ୟ ଖୁସି ଅନୁଭବ କରିବା ସହ ଅଧିକ ଅର୍ଥ ରୋଜଗାର କରିପାରୁଛନ୍ତି । ବାହାର ଦେଶରେ ମଧ୍ୟ ଏହି ପଣସ ଚିପସ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ନାଲକୋ ଫାଉଣ୍ଡେସନ । ଆଉ ଏଥି ପାଇଁ ସହଯୋଗର ହାତ ବଢାଇଛି ସଖା ଫାଉଣ୍ଡେସନ ଓ ଓରମାସ ।