ପୁଣି ଦିଦିଙ୍କ ଗଡରେ ପଶିଲେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା । କୃଷକଙ୍କ ସମର୍ଥନ ଯୋଗାଡ ପାଇଁ ଆରମ୍ଭ କଲେ ‘ମୁଠିଏ ଚାଉଳ’ ଅଭିଯାନ

105

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଶନିବାର ଦିନ ଏକ ଦିବସୀୟ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ନଡ୍ଡା ସେଠାରେ କୃଷକ ମାନଙ୍କର ସମର୍ଥନ ହାସଲ କରିବାକୁ ‘ମୁଠିଏ ଚାଉଳ’ ଅଭିଯାନର ଶୁଭାରମ୍ଭ କରିବେ । କହିରଖୁ କି ପଶ୍ଚିମବଙ୍ଗ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ବାରମ୍ବାର ମୋଦି ସରକାରକୁ କୃଷକ ବିରୋଧି ସରକାର ଭାବେ ପ୍ରତିପାଦିତ କରିବାକୁ ଚେଷ୍ଟା କରୁଛନ୍ତି । ଏହାସହ ଦେଶରେ ଏକମାତ୍ର ପଶ୍ଚିମବଙ୍ଗ ସରକାର ଯେ କି, କୃଷକ ମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ମିଳୁଥିବା ସହାୟତା ରାଶି ପ୍ରଦାନ କରୁ ନାହାନ୍ତି ।
ଜେ.ପି ନଡ୍ଡାଙ୍କ ‘ମୁଠିଏ ଚାଉଳ’ ଅଭିଯାନ ମୁତାବକ ପଶ୍ଚିମବଙ୍ଗର ବିଜେପି ନେତା ମାନେ ୪୮ ହଜାର ଗାଁ କୁ ଯାଇ କୃଷକ ମାନଙ୍କ ଘରେ ପହଂଚିବେ । ସେମାନେ ପ୍ରତି କୃଷକ ପରିବାରୁ ମୁଠିଏ ଲେଖାଏଁ ଚାଉଳ ଆଦାୟ କରିବେ । ସୂଚନା ମିଳିଛି କି ନଡ୍ଡା ଏହି ଅଭିଯାନକୁ ପୂର୍ବ ମେଦିନାପୁରର ଦରାଜ ଗାଁରୁ ଆରମ୍ଭ କରିବେ । ଅନୁମାନ କରାଯାଉଛି କି ଏହି ଅଭିଯାନ ଜାନୁଆରୀ ୨୪ ତାରିଖ ଯାଏ ଚାଲିବ । କୃଷକ ମାନଙ୍କ ଘରୁ ଆଦାୟ କରାଯାଇଥିବା ଚାଉଳରେ ୨୫ ରୁ ୩୦ ଜାନୁଆରୀ ମଧ୍ୟରେ କୃଷକ ଓ ଗରିବ ଲୋକଙ୍କ ପାଇଁ ଖାଇବା ଯୋଗାଇବାର କାର୍ଯ୍ୟକ୍ରମ ରହିଛି । କୁହାଯାଉଛି କି ଆଗାମୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ବିଜେପି ୭୩ ଲକ୍ଷ କୃଷକ ମାନଙ୍କ ଘରକୁ ଯାଇ କୃଷି କାନୁନ୍ ସପକ୍ଷରେ ବୁଝାଇବା ସହ ମୁଠିଏ ଲେଖାଏଁ ଚାଉଳ ଆଦାୟ କରିବ ।
ଜେ.ପି ନଡ୍ଡାଙ୍କ ଏହି ଗସ୍ତର ସୂଚନା ଦେଇ ବିଜେପି ମିଡିଆ ପ୍ରଭାରୀ ଅନିଲ ବେଲୁନୀ କହିଛନ୍ତି କି ନଡ୍ଡା ସକାଳ ୧୧ ଟାରେ ବର୍ଦ୍ଦମାନ ପହଂଚି ସେଠାରେ ଏକ ରୋଡ ସୋ ରେ ଭାଗ ନେବେ । ଏହାପରେ ଦଳର ଅଧିକାରୀଙ୍କ ସହିତ ବୈଠକ କରିବେ । ନଡ୍ଡା ତାଙ୍କର ଏହି ଗସ୍ତର କାର୍ଯ୍ୟକ୍ରମର ଶୁଭାରମ୍ଭ ଶ୍ରୀ ରାଧାଗୋବିନ୍ଦ ମନ୍ଦିରରୁ ପୂଜା କରି ଆରମ୍ଭ କରିବେ । ଏହାପରେ ସେ ଜଗଦାନନ୍ଦପୁର ଗାଁରେ ପହଂଚିବେ । ସେଠାରେ ଶ୍ରୀ ନଡ୍ଡା ‘କୃଷକ ସୁରକ୍ଷା ଗ୍ରାମ’ ଅଭିଯାନର ବି ଶୁଭାରମ୍ଭ କରିବେ । ଏହାସହ ଏହି ଗ୍ରାମରେ କୃଷକ ପରିବାର ସହିତ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।
କହିରଖୁ କି ଆସାମ, ତାମିଲନାଡୁ, ପଶ୍ଚିମବଙ୍ଗ ସମେତ ଅନ୍ୟ କିଛି ରାଜ୍ୟରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ । ହେଲେ ବିଜେପି ନିର୍ବାଚନର ବହୁ ଆଗରୁ ତା’ର ପ୍ରଚାର ଆରମ୍ଭ କରିସାରିଛି । ପଶ୍ଚିମବଙ୍ଗରେ ପ୍ରଥମେ ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଏହାପରେ ବିଜେପି ଓ ଟିଏମସି ମଧ୍ୟରେ ବୟାନବାଜି ଜାରି ରହିଛି ।