କନକ ବ୍ୟୁରୋ: ଭବାନୀପାଟଣାରେ ଆୟୋଜିତ ବିଜେପିର ମହା ଜନସମ୍ପର୍କ ସମାବେଶରେ ଯୋଗ ଦେଇ, ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି ଏକାଧିକ ଅଭିଯୋଗ ଆଣିଛନ୍ତି । ପ୍ରଶ୍ନ କରି ପଚାରିଛନ୍ତି, ଓଡ଼ିଶାରେ ଶାସନ ଚଳାଉଛି କିଏ? ନେତା ନା ଅଧିକାରୀ? ଓଡ଼ିଶାରେ ଶାସନ କିଏ ଚଳାଉଛି ଜଣାପଡ଼ୁନାହିଁ । ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ମୁଣ୍ଡ ପିଛା ଆୟ ଓ ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ ନକରିବା ପ୍ରସଙ୍ଗ ଉଠାଇ ନବୀନ ସରକାରକୁ ଟାର୍ଗେଟ କରିଛନ୍ତି । ସେହପରି ମୋଦୀ ସରକାରଙ୍କ ୯ବର୍ଷର ସଫଳତାକୁ ବଖାଣିଛନ୍ତି ଓ କଂଗ୍ରେସକୁ କଟାକ୍ଷ କରିଛନ୍ତିି ନଡ୍ଡା ।

Advertisment

ନଡ୍ଡାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ । ନଡ୍ଡାଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି, ଓଡି଼ଶାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ବିରୋଧୀ ସହି ପାରୁନାହାନ୍ତି । ତାଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଓ ଅନ୍ୟ ଅଧିକାରୀମାନେ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଆବାସ ଯୋଜନାରେ ଦୁର୍ନୀତି ହୋଇନାହିଁ ।

ବିଜେପି ନଡ୍ଡା କଂଗ୍ରେସକୁ ସମାଲୋଚନା କରିବା ପ୍ରସଙ୍ଗରେ ଜବାବ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କହିଛନ୍ତି, ଦେଶରେ କଂଗ୍ରେସର ହାୱା ବହୁଛି । ବିଜେପି କେବଳ ବାହାସ୍ପଟ ମାରୁଛି । ପୂର୍ବରୁ ଓଡିଶା ଗସ୍ତରେ ଆସିଥିବାବେଳେ ନଡ୍ଡା ସମାନ ଅଭିଯୋଗ ଆଣିଥିଲେ । ରାଜ୍ୟରେ ଶାସନ କିଏ ଚଳାଉଛି ବୋଲି ପ୍ରଶ୍ନ କରିଥିଲେ । ହେଲେ, ରାଜ୍ୟ ସରକାରଙ୍କ ଉପରେ ନଡ୍ଡାଙ୍କ ଅଭିଯୋଗର କୌଣସି ପ୍ରଭାବ ପଡିନଥିଲା ।