ସରିଲା ମା’ଙ୍କ ନବ ଦିନାତ୍ମକ ଲୀଳା : ବାହୁଡ଼ିଯିବେ ମହାମାୟୀ, ଆଜି ଦିନରୁ ମେଲାଣି ନେବେ; ଫଟୋରେ ହେଲା ରାବଣ ପୋଡ଼ି

115

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମା’ଙ୍କ ନବଦିନାତ୍ମକ ଲୀଳା । ଚଣ୍ଡୀ ପୂଜା ଓ ଆହୁତି ପରେ ବିସର୍ଜନ ପର୍ବ ଶେଷ ହୋଇଛି । ବାହୁଡ଼ିଯିବେ ମହାମାୟୀ । ତେଣୁ ମା’ଙ୍କ ଶେଷ ଦର୍ଶନ ପାଇଁ ପୂଜା ମଣ୍ଡପକୁ ଧାଇଁ ଆସିଥିଲେ ଭକ୍ତଗଣ। ମା’ଙ୍କ ଦର୍ଶନ ମିଳୁ ନଥିଲେ ହେଁ ପୂଜା ମଣ୍ଡପ ବାହାରେ ରହି ‘ମାଙ୍କୁ ଗୁହାରି ବାଢ଼ୁଥିଲେ ଶ୍ରଦ୍ଧାଳୁବୃନ୍ଦ । ଅସତ ଉପରେ ସତ୍ୟର ବିଜୟ ସ୍ମାରକ ସ୍ୱରୂପ ରାଜଧାନୀରେ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରତୀକାତ୍ମକ ରାବଣ ପୋଡ଼ି ଅନୁଷ୍ଠିତ ହେବାର ବିଧି ଥିଲେ ହେଁ ଏଥର କରୋନା ରୋକ୍‌ ଲଗାଇଛି । ତେବେ ବିଜୟା ଦଶମୀ ପାଳନ ପାଇଁ କିଛି ସ୍ଥାନରେ କ୍ଷୁଦ୍ର ରାବଣ ଫଟୋରେ ଅଗ୍ନି ସଂଯୋଗ କରାଯାଇଛି । ଏହା ପୂଜା ମଣ୍ଡପର ସଦସ୍ୟମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଛି ।

ପ୍ରଭୁ ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ରାବଣ ବଧ ପାଇଁ ମା ଦୁର୍ଗାଙ୍କୁ ପୂଜିବା ସହ ସୈନ୍ୟମାନେ ଅପରାଜିତା ଲଟା ହାତରେ ଗୁଡ଼ାଇ ଯୁଦ୍ଧରେ ଜୟଲାଭ କରିଥିବାରୁ ଆଜି ଅପରାଜିତା ପୂଜା ହୋଇଥିଲା। ସନ୍ଧ୍ୟାରେ ପୂଜା ମଣ୍ଡପ ସମ୍ମୁଖରେ ରାବଣ ଫଟୋରେ ଅଗ୍ନି ସଂଯୋଗ କରାଯାଇଥିଲା। ଲୋକଙ୍କ ଭିଡ଼ରୁ ବର୍ତ୍ତିବା ପାଇଁ ଖୋଲା ପଡ଼ିଆରେ ଏବଂ ମା’ଙ୍କ ପୂଜା ମଣ୍ଡପ ସମ୍ମୁଖରେ ଏହା ଅତି ନିରାଡ଼ମ୍ବର ଭାବେ ଆୟୋଜନ କରାଯାଇଥିଲା। ତେବେ କିଛି ସ୍ଥାନରେ ରାବଣ ପୋଡ଼ି ସମ୍ପୂର୍ଣ ବାତିଲ ହୋଇଥିଲା। ଏଥିସହ ଆଜି ପୂର୍ଣ୍ଣାହୁତି ପରେ ସନ୍ଧ୍ୟା ପରେ ମା’ଙ୍କ ଘଟ ବିସର୍ଜନ ହୋଇଥିଲା। କିଛି ସ୍ଥାନରେ ବିସର୍ଜନ ପର୍ବ ଆଜି ଦିନରୁ ହିଁ ଅନୁଷ୍ଠିତ ହୋଇଥିଲା। ଘଟ ବିସର୍ଜନ ପରେ ମା’ଙ୍କ ଉଦ୍ଦେଶ୍ୟରେ ପୂଜା କମିଟି ସଦସ୍ୟ ଘିଅ ମହୁ ପାଇଥିଲେ।

ମା’ଙ୍କ ଲୀଳା ଶେଷ ହୋଇଯିବା ପରେ ମାନବୀୟ ଲୀଳାର ଏହି ନିଦର୍ଶନ ଦେବୀ ପୀଠରେ ଦେଖିବାକୁ ମିଳିଥିଲା। ଏ ସମୟରେ ସ୍ଥାନୀୟ ଶ୍ରଦ୍ଧାଳୁ ପରଦା ପଛରେ ଉପସ୍ଥିତ ରହି ପୂଜାର ଅନୁଭବ ନେଇଥିଲେ। ବିସର୍ଜନ ସରିଥିଲେ ବି ଆସନ୍ତାକାଲି ଭାସାଣି ପର୍ବ ଅନୁଷ୍ଠିତ ହେବ। ତେବେ ବିଡମ୍ବନା ଯେ ଏଥର ମା’ ଆଉ ଆଡ଼ମ୍ବରରେ ବିଦାୟ ନେବେ ନାହିଁ, ବରଂ ମଙ୍ଗଳବାର ଦିନରୁ ମା’ଙ୍କ ମେଲାଣି ପର୍ବ ଆରମ୍ଭ ହୋଇଯିବ। ବିନା ବାଜା, ବାଣ ଓ ଶୋଭାଯାତ୍ରାରେ ମାତ୍ର ହାତଗଣତି ସଦସ୍ୟଙ୍କ ମଧ୍ୟରେ ମା’ ବିଦାୟ ନେବେ। ପୂଜା ମଣ୍ଡପ ସଦସ୍ୟଙ୍କ ସୂଚନା ମୁତାବକ, ଦିନ ୧୦ ଟାରୁ ୧୧ଟା ମଧ୍ୟରେ ପ୍ରଭୁଙ୍କୁ ଭସାଣିରେ ନିଆଯିବ। ଏନେଇ ବିଏମ୍‌ସି ପକ୍ଷରୁ କୁଆଖାଇରେ ଅସ୍ଥାୟୀ ପୋଖରୀର ବନ୍ଦୋବସ୍ତ ହୋଇଛି।