କନକ ବ୍ୟୁରୋ: କଥା କଟାକଟି, ହୋ ହଲ୍ଲା, ତୀବ୍ର ଉତେଜନା । ନିଜ କାର୍ଯ୍ୟାଳୟରେ ହଟହଟା ହେଲେ ବାବୁ, ନାକେଦମ୍ କରିଦେଲେ ଉତ୍ୟକ୍ତ ମହିଳା । ପୁରୀ ଜିଲ୍ଲା କଣାସ ବ୍ଲକ କାର୍ଯ୍ୟାଳୟରେ ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷଙ୍କୁ ତାଲା ପକାଇଦେଲେ । ବିଭିନ୍ନ ପଂଚାୟତର କମ୍ୟୁନିଟି ରିସର୍ଚ୍ଚ ପର୍ସନ ବା ସିଆରପି ଏବଂ ମାଷ୍ଟର ବୁକ କିପର ବା ଏମବିକେ ଚୟନରେ ଅନିୟମିତତା ଅଭିଯୋଗ ଆଣି ବିଡିଓଙ୍କୁ ଘେରିଯାଇଥିଲେ ଉତ୍ୟକ୍ତ ମହିଳା । ଅଭ୍ିଯୋଗ ସତ୍ୱେ କାହିଁକି ତଦନ୍ତ କରାଯାଉ ନାହିଁ? କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ? ବୋଲି ବିଡିଓଙ୍କୁ ପ୍ରଶ୍ନ କରିଥିଲେ । ବିଡିଓ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ ।

Advertisment

ବିଡିଓ ଲିଖିତ ପ୍ରତିଶ୍ରୁତି ଦେଲେ ତାଲା ଖୋଲିବୁ ବୋଲି ମହିଳାମାନେ ଜିଦ ଧରିଥିଲେ । ଖବର ପାଇ କଣାସ ପୋଲିସ ଘଟଣାସ୍ଥଳରେ ପହଞ୍ଚିବୁଝାସୁଝା କରିବା ପରେ ମହିଳାମାନେ ତାଲା ଖୋଲିଥିଲେ । ଅନ୍ୟପଟେ ୨ ଘଣ୍ଟାରୁ ଅଧିକ ସମୟ ଧରି କାର୍ଯ୍ୟାଳୟରେ ଅଟକ ଥିବା ବିଡିଓ ତାଲା ଖୋଲିବା ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନଦେଇ ଚାଲିଯାଇଥିଲେ ।

କଣାସ ବ୍ଲକର ବିଭିନ୍ନ ପଞ୍ଚାୟତରେ ଓଡିଶା ଲାଇଭଲିହୁଡ ମିଶନ ଜରିଆରେ ସିଆରପି ଓ ଏମବିକେ ନିଯୁକ୍ତି କରାଯାଇଥିଲା । ହେଲେ ଏଥିର ଅନିୟମିତତା ହୋଇଥିବା ନେଇ ବାରମ୍ବାର ବିଡିଓଙ୍କୁ ଅଭିଯୋଗ କରିଆସୁଥିଲେ ସ୍ଥାନୀୟ ଅଂଚଳର ମହିଳା । ହେଲେ ବିଡିଓ ଖାତିର କରୁନଥିବାରୁ ଉତ୍ୟକ୍ତ ମହିଳା ବିସ୍ଫୋରକ କାଣ୍ଡ ଭିଆଇଛନ୍ତି ।