ଆଇପିଏଲ ଲଢ଼େଇ: ଶେଷ ଲିଗ୍ ମ୍ୟାଚରେ ବ୍ଲୁ-ଆର୍ମିର ଶାନଦାର ବିଜୟ, ହାଇଦ୍ରାବାଦକୁ ହରାଇ ହୃଦୟ ଜିଣିଲା ମୁମ୍ବାଇ…

249

କନକ ବ୍ୟୁରୋ: ଆଇପିଏଲର ଚଳିତ ସିଜନର ଶେଷ ଲିଗ୍ ମ୍ୟାଚରେ ମୁମ୍ବାଇର ଦମଦାର ବିଜୟ । ହାଇଦ୍ରାବାଦକୁ ୪୨ ରନରେ ପରାସ୍ତ କରି ବିଜୟ ହାସଲ କରିଛି ରୋହିତ୍ ବାହିନୀ । ତେବେ ଶେଷ ଲିଗ୍ ମ୍ୟାଚ ଖେଳି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଏଥର ପ୍ଲେ ଅଫ୍ସରୁ ବାଦ୍ ପଡ଼ିଛି ସତ କିନ୍ତୁ ସନରାଇଜର୍ସ ହାଇଦ୍ରାବାଦକୁ ଏକ ବଡ଼ ବ୍ୟବଧାନର ରନ୍ ଚେଜରେ ମାତ୍ ଦେଇ ଫ୍ୟାନ୍ସମାନଙ୍କ ମନରେ ଖୁସିର ହସ ଫୁଟାଦେଇଛି ବ୍ଲୁ-ଆର୍ମି । 

ଆବୁ ଧାବିରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ମୁମ୍ବାଇ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା । ମୁମ୍ବାଇ ତରଫରୁ ଇଶାନ୍ କିଷନ୍ ଓ କ୍ୟାପଟେନ ରୋହିତ୍ ଶର୍ମାଙ୍କ ଓପନିଂ ଜବରଦସ୍ତ ଥିଲା । ଇଶାନଙ୍କ ଧୂଆଁଦାର ୮୪ ରନ୍ ଏବଂ ସୂର୍ଯ୍ୟକୁମାରଙ୍କ ୮୨ ରନ୍ ବଳରେ ବ୍ଲୁ-ଆର୍ମି ୨୦ ଓଭର ଖେଳି ହାଇଦ୍ରାବାଦ ସାମ୍ନାରେ ୨୩୬ ରନର ବିଶାଳ ଲକ୍ଷ୍ୟ ଦେଇଥିଲା  । ଏହି ବିଶାଳ ଲକ୍ଷ୍ୟର ପିଛା କରି ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ଭଲ ଆରମ୍ଭ କରିଥିଲା । ପ୍ରଥମ ପାୱରପ୍ଲେରେ ଦଳ ଓଭର ପିଛା ୧୦ ରନରୁ ଅଧିକ ରନରେଟ୍ ରେ ବ୍ୟାଟିଂ କରିଥିଲେ ସୁଦ୍ଧା ବିଜୟରୁ ପଛରେ ପଡ଼ିଛି ହାଇଦ୍ରାବାଦ୍ ।

ତେବେ ଶୁକ୍ରବାର ଯଦି ମୁମ୍ବାଇ ଇଣ୍ଡିଆନ୍ସ ହାଇଦ୍ରାବାଦକୁ ୧୭୧ ରନରୁ ଅଧିକ ରନରେ ପରାଜିତ କରିଥାନ୍ତା, ତେବେ ଦଳ ପ୍ଲେ-ଅଫ୍ ଯାଇପାରିଥାନ୍ତା  । କିନ୍ତୁ ଆଇପିଏଲ୍ ଇତିହାସରେ ସବୁଠୁ ସଫଳ ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ବାହିନୀ ୨୦୧୩, ୨୦୧୫, ୨୦୧୭, ୨୦୧୯,୨୦୨୦ ମସିହାରେ ଆଇପିଏଲ ଟାଇଟଲ ଜିତିଛି । ଅନ୍ୟ କୌଣସି ଦଳ ଏପରି ସଫଳତା ହାସଲ କରିପାରିନାହାଁନ୍ତି । ତେବେ ଚଳିତ ଥର କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଟ୍ରଫିରେ ନିଜ ନାଁ ଲେଖିବାରୁ ବଞ୍ଚିତ ହୋଇଛି । 

ଅନ୍ୟପଟେ ଆଜିର ଦୁଇଟି ଦମଦାର ମ୍ୟାଚ୍ ସହ ଚଳିତ ଆଇପିଏଲର ଲିଗ୍ ମ୍ୟାଚ ଶେଷ ହୋଇଛି । ଏଥି ସହ ବର୍ତ୍ତମାନ ଆଇପିଏଲ୍ ପ୍ଲେ-ଅଫରେ ୪ଟି ଟିମ୍ ନିଜ ନିଜ ସ୍ଥାନ ପକ୍କା କରିଦେଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପରକିଙ୍ଗସ୍ , ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ଚାମ୍ପିୟନ ହେବା ପାଇଁ ପ୍ଲେ-ଅଫରେ ମୁହାଁମୁହିଁ ହେବେ ।