ଗୋଟିଏ ସପ୍ତାହରେ ଦୁଇଟି ବାତ୍ୟା । ହେଲେ ସୌଭାଗ୍ୟବଶତଃ ଦୁର୍ବଳ ହେଲା ୟାସ୍, ଦେଖନ୍ତୁ ତାଉ-ତେ ଏବଂ ୟାସ୍ ମଧ୍ୟରେ କ’ଣ ଥିଲା ପ୍ରାର୍ଥକ୍ୟ ।

525

କନକ ବ୍ୟୁରୋ : ଏଇ ନିକଟରେ ଆରବ ସାଗରରେ ସୃଷ୍ଟି ହୋଇଥିଲା ତାଉତେ । ଆଉ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ସାମୁଦ୍ରିକ ବାତ୍ୟା ୟାସ୍ । ଏହି ଦୁଇଟି ବାତ୍ୟାକୁ ନେଇ ଆଗୁଆ ଆକଳନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ତେବେ ଏହି ଦୁଇଟି ବାତ୍ୟା ମଧ୍ୟରୁ ୟାସକୁ ନେଇ ଆଇଏମଡିର ଆକଳନ ଏପଟ ସେପଟ ହୋଇ ଥିବା ପରି ମନେ ହୋଇଛି । କାରଣ ପୂର୍ବାନୁମାନ ପରି ଘାତକ ହୋଇନଥିଲା ୟାସ୍ ।

ଯେମିତି ଆକଳନ କରାଯାଉଥିଲା ଯେ ୟାସ୍ ଭୟଙ୍କର ରୂପରେ ଆସୁଛି ଓ ବଡ଼ ଧରଣର କ୍ଷତି ଘଟାଇବାର ଆଶଙ୍କା ରହିଛି, ପ୍ରକୃତରେ ସେମିତି ବିଶେଷ କିଛି ହୋଇନାହିଁ । ଏହାର କିଛି କାରଣ ବିଷୟରେ ତର୍ଜମା କରିଛନ୍ତି, ଭାରତୀୟ ପାଣିଗାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ସବୁଠୁ ବଡ଼ କାରଣ ଭିତରୁ ମୃତ୍ୟୁଞ୍ଜୟ କହିଛନ୍ତି, ମଙ୍ଗଳବାର ଦ୍ୱିପହର ପରଠାରୁ ବାତ୍ୟାରେ କେତେକ ପରିବର୍ତନ ଲକ୍ଷ୍ୟ କରାଯାଇଥିଲା । ଏବଂ ଜଣାପଡିଥିଲା ଯେ ବାତ୍ୟା ଘନିଭୂତ ହେବା ନେଇ ପାଣିପାଗ ପ୍ରତିକୂଳ ରହିଛି । ଏହାସହ ଉପକୂଳର ଅଧିକ ନିକଟତର ହେବା ପରେ ବାତ୍ୟାର ବେଗ ଆହୁରି ବଢ଼ିଯିବ । ବାତ୍ୟା ଯେତେବେଳେ ବାଲେଶ୍ୱରର ବାହାନଗା ନିକଟରେ ଲ୍ୟାଣ୍ଡଫଲ କଲା, ସେତେବେଳେ ଏହା ପ୍ରତି ଘଂଟା ୨୪ କିଲୋମିଟର ବେଗରେ ଗତି କରିଥିଲା ।

ଆଉ ଏକ ବଡ଼ କଥା ହେଉଛି, ଏହି ବାତ୍ୟା ଉପକୂଳଠାରୁ କମ୍ ଦୂରତାରେ ସୃଷ୍ଟି ହୋଇଥିଲା, ଏବଂ ଅଧିକ ବେଗରେ ସେହି ଦୂରତା ଅତିକ୍ରମ କରିଥିଲା । ଯେଉଁ ବାତ୍ୟା ଯେତେ ସମୟ ଧରି ସମୁଦ୍ରରେ ରୁହେ, ଏବଂ ସମୁଦ୍ରରେ ଅଧିକ ବାଟ ଅତିକ୍ରମ କରେ, ଏହା ଅଧିକ ଘନିଭୂତ ହୋଇ ବଳ ଗୋଟାଏ । ଆଉ ୟାସ୍ କ୍ଷେତ୍ରରେ ଏହାର ଓଲଟା ହୋଇଥିଲା ।

ଏବେ ଦେଖନ୍ତୁ ଗୋଟିଏ ସପ୍ତାହରେ ସୃଷ୍ଟି ହୋଇଥିବା ଆବର ସାଗରରେ ତାଉ-ତେ ଏବଂ ବଙ୍ଗୋପସାଗରରେ ୟାସ୍ ମଧ୍ୟରେ କ’ଣ ରହିଥିଲା ପ୍ରାର୍ଥକ୍ୟ ।

ତାଉ-ତେ ଉପକୂଳଠାରୁ ୧୮୦୦ କିଲୋମିଟର ଦୂରରେ ସୃଷ୍ଟି ହୋଇଥିଲା
ୟାସ୍ ଉପକୂଳଠାରୁ ୧୦୦୦ କିଲୋମିଟର ଦୂରରେ ସୃଷ୍ଟି ହୋଇଥିଲା
ତାଉ-ତେ ୬ ଦିନ ଧରି ସମୁଦ୍ର ଭିତରେ ବଳ ଗୋଟାଇଥିଲା
ୟାସ ସମୁଦ୍ରରେ ମାତ୍ର ୪ ଦିନ ରହିଥିଲା
ଲ୍ୟାଣ୍ଡଫଲ୍ ବେଳେ ତାଉ-ତେ, ପ୍ରତି ଘଂଟାରେ ୧୫ କିଲୋମିଟର ଗତି କରୁଥିଲା
ଲ୍ୟାଣ୍ଡଫଲ୍ ବେଳେ ୟାସ୍, ପ୍ରତି ଘଂଟାରେ ୨୪ କିଲୋମିଟର ଅତିକ୍ରମ କରୁଥିଲା
ଲ୍ୟାଣ୍ଡଫଲ୍ ବେଳେ ତାଉ-ତେ ପ୍ରଭାବରେ ପବନର ବେଗ ୧୭୦ କିଲୋମିଟର ରହିଥିଲା
ଲ୍ୟାଣ୍ଡଫଲ୍ ବେଳେ ୟାସ୍ ପ୍ରଭାବରେ ପବନର ବେଗ ୧୩୦ କିଲୋମିଟର ରହିଥିଲା ।