ଅସହ୍ୟ ତାତିରେ ଜଳୁଛି ଓଡ଼ିଶା । ସକାଳ ସାଢ଼େ ୮ ସୁଦ୍ଧା ୧୮ ସହରର ତାପମାତ୍ରା ୩୦ ଡିଗ୍ରୀ ପାର୍

418

କନକ ବ୍ୟୁରୋ : ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି । ରାତିରେ ବି ମିଳିବ ନାହିଁ ତ୍ରାହି । ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସକାଳ ସାଢ଼େ ୮ଟା ସୁଦ୍ଧା ୧୮ ସହରର ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରିଛି । ୩୫.୮ ଡିଗ୍ରୀ ସହ ତାଳଚେର ସବୁଠୁ ଉତପ୍ତ ସହର ପାଲଟିଛି । ଅନୁଗୁଳ ଓ ବାଲେଶ୍ୱରରେ ୩୫ ଡିଗ୍ରୀ, ଜଗତସିଂହପୁରରେ ୩୪.୮, ଭବାନୀପାଟଣା, ନୟାଗଡ଼ ଓ ବାରିପଦାରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ପାରଦ ୩୩.୪ ଡିଗ୍ରୀ ଛୁଇଁଛି । ଆହୁରି ଦୁଇ ଦିନ ଯାଏ ତାତିରୁ ମିଳିବନି ନିସ୍ତାର । କିଛି ଅଞ୍ଚଳରେ ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଆଜିଠୁ ଆସନ୍ତା ରବିବାର ଅର୍ଥାତ ୨୦ ତାରିଖ ଯାଏଁ ରାଜ୍ୟର ୪ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେହି ଜିଲ୍ଲାଗୁଡିକ ହେଉଛି ମୟୂରଭଞ୍ଜ, ନୟାଗଡ, ନୂଆପଡା ଓ ଗଜପତି ଜିଲ୍ଲା । ତେଣୁ ଏହି ୪ ଜିଲ୍ଲାକୁ ସିଭିୟର ହିଟ ୱେଭ ପାଇଁ ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।

ତେବେ ୨୦ ତାରିଖରୁ ୨୩ ତାରିଖ ମଧ୍ୟରେ ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ଘଂଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।