ବାଲେଶ୍ୱରର ବାତ୍ୟା ୟାସ ସ୍ଥଳଭାଗ ଅତିକ୍ରମ କରିବା ପରେ ମୟୂରଭଂଜ ଦେଇ ଯିବ ଝାଡଖଣ୍ଡ : ପ୍ରଭାବରେ ଘଂଟା ପ୍ରତି ୧୦୦ କିଲୋମିଟର ବେଗରେ ବହିପାରେ ପବନ

375

କନକ ବ୍ୟୁରୋ : ରେମୁଣା ବାହାନଗା ସଦରରେ ବାତ୍ୟା ୟାସ୍ ଲ୍ୟାଣ୍ଡଫଲ କରୁଛି । ଦିନ ଗୋଟାଏ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୩୦ରୁ ୧୪୦ ବହିବା ଫଳରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟା ସମୟରେ ପଛୁଆ ପବନ ଅଧିକ ବିପଦପୂର୍ଣ୍ଣ ହୋଇପାରେ ବୋଲି ସତର୍କ କରିଛନ୍ତି ଏସଆରସି ପ୍ରଦୀପ ଜେନା । ତେଣୁ ଏହି ସମୟରେ ବାଲେଶ୍ୱର ଓ ଭଦ୍ରକର ଲୋକଙ୍କୁ ପଦାକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ବାଲେଶ୍ୱର ଅତିକ୍ରମ କରିବା ପରେ ମୟୁରଭଂଜ ଦେଇ ଗତି କରିବ ବାତ୍ୟା । ଫଳରେ ମରୟରଭଂଜରେ ପବନର ବେଗ ୧୦୦ କିମ୍ବା ତା ଠାରୁ ଅଧିକ ରହିବ ।

ବାତ୍ୟା ୟାସ ପ୍ରଭାବରେ ଉତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଭଦ୍ରକ, କେନ୍ଦ୍ରାପଡା ,ଜଗତସିଂହପୁର ଓ ବାଲେଶ୍ୱରର ତଳିଆ ଅଂଚଳ ଜଳମଗ୍ନ ହୋଇଛି । ବର୍ଷା ଲାଗି ରହିଥିବାରୁ ତଳିଆ ଅଂଚଳରେ ଆହୁରି ଅଧିକ ପାଣି ଜମା ହେବ ବୋଲି ଆଶଙ୍କା କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ମୟୂରଭଞ୍ଜର କୁସୁମିରେ ୩ଶହ ମିଲିମିଟର, ରାଜନଗରରେ ୨୭୫, ଏରସମାରେ ୨୭୧ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।