କଂଗ୍ରେସ ଭବନରେ ହାଇଭୋଲଟେଜ ଡ୍ରାମା: ଭିତରେ ଚାଲିଥିଲା ବୈଠକ, ବାହାରେ ବୁଲୁଥିଲେ ବାଉନସର । ନିଜ ଉପରୁ ନିଲମ୍ବନ ହଟାଇବାକୁ ହଟ୍ଟଗୋଳ କଲେ ଇତିଶ

356

କନକ ବ୍ୟୁରୋ: କଂଗ୍ରେସ ଭବନରେ ହାଇଭୋଲଟାଜ ଡ୍ରାମା । ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ କଂଗ୍ରେସ ଭବନ ଭିତରେ ଉପକୂଳ ନେତାଙ୍କ ସହିତ ଆଲୋଚନା କରୁଥିବା ବେଳେ କଂଗ୍ରେସ ଭବନ ବାହାରେ ନିଲମ୍ବିତ ଛାତ୍ର ନେତାଙ୍କ ଚାଲିଥିଲା ଜୋରଦାର ଆନ୍ଦୋଳନ । ଆଉ ଏହି ପ୍ରତିବାଦ ଥିଲା ତାଙ୍କ ଉପରୁ ନିଲମ୍ବନ ଉଠାଇବା ପାଇଁ । ହୋ-ହଲ୍ଲା ପାଟିତୁଣ୍ଡ ଚାଲିଥିବା ବେଳେ ପ୍ରଥମ ଥର ପାଇଁ କଂଗ୍ରେସ ଭବନରେ ଦେଖିବାକୁ ମିଳିଥିଲା ବାଉଁଶରମାନଙ୍କୁ ।

ତେବେ ଆଜି ଦିନ ତମାମ ବିବାଦ, କନ୍ଦଳ, ଆନ୍ଦୋଳନ ଆଉ ଉତେଜନା ରେ କଂଗ୍ରେସ ଭବନ ଉଠୁଥିଲା ପଡୁଥିଲା । କଂଗ୍ରେସ ଭବନ ଭିତରେ କଟକ, କଟକ ସଦର, ଖୋର୍ଦ୍ଧା ଏବଂ ଭୁବନେଶ୍ୱରର ନେତାଙ୍କ ସହ ଚାଲିଥିଲା ବୈଠକ । ଆଉ ଠିକ ସେତିକି ବେଳେ ବାହାରେ ଧାରଣାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯୁବ କଂଗ୍ରେସରୁ ନିଲମ୍ବିତ ଛାତ୍ର ନେତା ଶହ ଶହ କର୍ମୀଙ୍କ ସହିତ କଂଗ୍ରେସ ଭବନ ଆଗରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ନିଲମ୍ବନ ଉଠାଇବା ପାଇଁ ଚାଲାଇଥିଲେ ପିସିସି ବିରୋଧି ନାରାବାଜି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁ ଗଣ୍ଡଗୋଳ ହୋହଲ୍ଲା ଚାଲିଥିବା ବେଳେ କଂଗ୍ରେସ ଭବନ ଭିତରେ ବାଉଁଶରମାନଙ୍କୁ ଦେଖିବାକୁ ମିଳିଥିଲା । କଳାପୋଷାକରେ କିଛି ହଟ୍ଟାକଟା ବ୍ୟକ୍ତି ପଇଁତରା ମାରୁଥିଲେ । ବୋଧହୁଏ ପ୍ରଥମ ଥର ପାଇଁ କଂଗ୍ରେସ ଭବନ ଭିତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଲା ।

ଜିତେନ୍ଦ୍ର ସିଂହଙ୍କ ବୈଠକ ଚାଲିଥିବା ସମୟରେ ଆଉ ଏକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ମହମ୍ମଦ ମୋକିମଙ୍କୁ ସଭାପତି କରିବା ପାଇଁ କଟକର କିଛି କଂଗ୍ରେସ କର୍ମୀ ପ୍ରଭାରୀଙ୍କ ନିକଟରେ ଦାବି କରିିଥିଲେ । ବେଶ କିଛି ସମୟ ଧରି ଏହାକୁ ନେଇ ସରଗରମ ପରିସ୍ଥିତି ଲାଗିରହିଲା ।

ଏସବୁ ଭିତରେ ଦିଲ୍ଲୀରୂୁ ଆସିଥିବା ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ବରିଷ୍ଠ ନେତା ଦିଗବିଜୟ ସିଂହ ପ୍ରେସମିଟ କରିଥିଲେ । କିନ୍ତୁ ପ୍ରେସମିଟରେ ଏସବୁ ପ୍ରସଙ୍ଗ ନଉଠାଇ ଏନଆରସି ଓ ସିଏଏକୁ ନେଇ ବିଜେପିକୁ ଟାର୍ଗଟ କରିଥିଲେ । ଏପଟେ ଆନ୍ଦୋଳନରେ ବସିଥିବା ଇତିଶ ପ୍ରଧାନ ଓ ତାଙ୍କ ସମର୍ଥକମାନେ ଜିତେନ୍ଦ୍ର ସିଂହ ସହ କଥାହେବାକୁ ଚାହୁଁଥିଲେ ମଧ୍ୟ ଜିତେନ୍ଦ୍ର ଏହାକୁ ଏଡାଇ ଦେଇ କଂଗ୍ରେସ ଭବନ ଛାଡି ଦେଇଥିଲେ ।