ଇଂଜିନିୟର ଛାତ୍ରଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କାର ମୁଣ୍ଡଜାମିନ ମାଗିଲେ ଅପହରଣକାରୀ : ମହିଳାଙ୍କ ମାଧ୍ୟମରେ ଫୋନ କରାଇ ରଚାଯାଇଥିଲା ଷଡଯନ୍ତ୍ର

29

କନକ ବ୍ୟୁରୋ : ଅନୁଜ ଝା । ଭୁବନେଶ୍ୱରର ଆଇ.ଟି.ଇ.ଆର୍ ଇଂଜିନିୟରିଂ କଲେଜର ଏମଟେକ୍ ଛାତ୍ର । ହଠାତ ଜାଗମରା ଛକରୁ ଉଭାନ ହୋଇଗଲେ ଅନୁଜ୍ । ପରିବାର ଲୋକଙ୍କୁ ଫୋନ୍ ଆସିଲା ପୁଅ ମୁଣ୍ଡ ଜାମିନ ବାବଦକୁ ଦରକାର ୧୦ ଲକ୍ଷ ଟଙ୍କା । ଅନୁଜଙ୍କୁ ଅପହରଣର କାହାଣୀ କୌଣସି ଫିଲ୍ମ କାହାଣୀ ଠାରୁ କମ ନଥିଲା । ୬ଜଣ ଅଭିଯୁକ୍ତ ବନ୍ଧିକ ମୁନରେ ଅପହରଣ କରିବା ପରେ, ସାରା ଭୁବନେଶ୍ୱର ବୁଲାଇ ଥିଲେ ଅନୁଜଙ୍କୁ । ଆଉ ଟଙ୍କା ଲୋଭରେ ଅଭିଯୁକ୍ତ ମାନେ ଫସି ଯାଇଥିଲେ ପୁଲିସ ଜାଲରେ ।

ଅନୁଜ ଉଦ୍ଧାର ହେବା ପରେ, ପଦାକୁ ଆସିଥିଲା ଅପହରଣର ପୁରା କାହାଣୀ । ଅଭିଯୋଗ ଅନୁସାରେ, ଅପହରଣର ମାଷ୍ଟରମାଇଣ୍ଡ ଥିଲେ ଜଣେ ସୁନ୍ଦରୀ ମହିଳା ଓ ତାଙ୍କ ସ୍ୱାମୀ । ମହିଳା ଜଣକ ନିଜ ସନ୍ତାନର କ୍ୟାରିଅର ନେଇ କିଛି ଟିପସ ପାଇବା ପାଇଁ ଅନୁଜଙ୍କୁ କଲ୍ କରିଥିଲେ । ଏଥିରେ ଅନୁଜ ରାଜି ହେବା ପରେ, ମହିଳା ଜଣକ ତାଙ୍କୁ ଜାଗମରା ଛକ ନିକଟ ଏକ ଏଟିଏମ ପାଖକୁ ଡାକି ଥିଲେ । ଆଉ ଏଟିଏମ୍ ପାଖରେ ପହଂଚିବା ମାତ୍ରେ, ଅନୁଜଙ୍କୁ ଏହି ୬ ଅଭିଯୁକ୍ତ ଏକ ଟାଭେରା ଗାଡିରେ ଅପହରଣ କରିଥିଲେ ।

ଅନୁଜଙ୍କ ବୟାନକୁ ଆଧାର କରି, ମହିଳା ଜଣଙ୍କୁ ପୁଲିସ ପଚରା ଉଚରା କରୁଛି । ଆଉ ଏହି ମହିଳା ହିଁ ଅପହରଣ କାହାଣୀର ମୁଖ୍ୟ କାର୍ପଟଦାର ବୋଲି କୁହାଯାଉଛି ।