ସାଲ୍ୟୁଟ୍ ପାଇଁ ସମ୍ମାନ: ଲଦାଖର କୁନି ବାଳକକୁ ସମ୍ମାନୀତ କଲା ଆଇଟିବିପି; ଅକ୍ଟୋବର ମାସରେ ସେନା ଯବାନଙ୍କୁ ସାଲ୍ୟୁଟ୍ କରିବା ପରେ ଭିଡିଓ ହୋଇଥିଲା ଭାଇରାଲ୍

188

କନକ ବ୍ୟୁରୋ: ବୟସ ମାତ୍ର ୫ ବର୍ଷ । ହେଲେ ସେନା ପୋଷାକରେ କରୁଛି ମାର୍ଚ ପାଷ୍ଟ , ଜବାନଙ୍କୁ କରୁଛି ସାଲ୍ୟୁଟ୍ । କୁନି ପିଲାର ଜୋସ୍ ଦେଖିଲେ ଆପଣ ବି ତାଜୁବ୍ ହୋଇଯିବେ । ଯେଉଁ ବୟସରେ ପିଲାମାନେ ଧୂଳି ଖେଳ ଛାଡିନଥାନ୍ତି, ସେହି ବୟସରେ ଭାରତୀୟ ସେନା ପ୍ରତି କୁନି ବାଳକର ସାଲ୍ୟୁଟ୍ ଆଜି ତାକୁ ଆଣିଛି ଚର୍ଚାକୁ । ଲଦାଖରେ ଭାରତୀୟ ଯବାନଙ୍କୁ ସାଲ୍ୟୁଟ୍ କରୁଥିବା ଏହି କୁନି ବାଳକ ହେଉଛି ଚୁସୁଲ ଅଂଚଲର ନୱାଙ୍ଗ୍ ନାମଗୟାଲ୍ । ଗତ ଅକ୍ଟୋବର ମାସରେ କୁନି ବାଳକ ଆଇଟିବିପି ଯବାନ ରାସ୍ତାରେ ଯାଉଥିବା ବେଳେ ସାଲ୍ୟୁଟ୍ କରୁଥିବା ଭିଡିଓ ପ୍ରଥମେ ଆସିଥିଲା ସାମ୍ନାକୁ ।

ଶୀତ ପୋଷାକ ପିନ୍ଧି ଯବାନଙ୍କୁ ସାଲ୍ୟୁଟ୍ କରିବା ଭିଡିଓ ବେଶ୍ ଭାଇରାଲ୍ ହୋଇଥିଲା । ବର୍ତମାନ ସେହି କୁନି ବାଳକକୁ ଆଇଟିବିପି ପକ୍ଷରୁ ସମ୍ମାନୀତ କରାଯାଇଛି । ଆଇଟିବିପି ପୋଷାକରେ ଉତ୍ସାହିତ ନୱାଙ୍ଗ ପରେଡ୍ ମାର୍ଚ କରିବା ସହ ପୁଣି ସେନା ଯବାନଙ୍କୁ କରୁଛି ସାଲ୍ୟୁଟ । ଏହାର ଭିଡିଓକୁ ଆଇଟିବିପି ସେନା ପକ୍ଷରୁ ଟୁଇଟ୍ କରାଯାଇଛି । କୁନି ବାଳକର ସେନା ଯବାନଙ୍କ ପ୍ରତି ଏପରି ସାଲ୍ୟୁଟ୍ , ଦେଖିବା ଲୋକର ମନରେ ଜୋସ୍ ଭରିଦେବ ନିଶ୍ଚୟ ।