କନକ ବ୍ୟୁରୋ : ଆଇଟିବିପିକୁ ମିଳିଲା ୧୭ ନୂଆ ଯୋଦ୍ଧା । ଏହି ଯୋଦ୍ଧା ହେଉଛନ୍ତି ବେଲଜିୟନ ମାଲନିଓଜ ବ୍ରିଡର କୁକୁର ଛୁଆ । ଓଲ୍ଗା ଓ ଓଲେଶ୍ୟା ନାମକ ଦୁଇଟି କୁକୁର ଏହି ଛୁଆଙ୍କୁ ଜନ୍ମ ଦେଇଛନ୍ତି । ତେବେ ଏହା କୌଣସି ସାଧାରଣ ବ୍ରିଡର କୁକୁର ନୁହନ୍ତି । ଏମାନଙ୍କୁ ଆମେରିକା ଦ୍ୱାରା ଆଲକାଏଦା ଅତଙ୍କବାଦୀ ଓସାମା ବିନ ଲାଡେନକୁ ମାରିବାକୁ ବ୍ୟବହାର କରାଯାଇଥିଲା । ଏହାସହ ଏହି ବ୍ରିଡର କୁକୁରଙ୍କୁ ହ୍ୱାଇଟ ହାଉସର ସୁରକ୍ଷା ପାଇଁ ମଧ୍ୟ ନିୟୋଜିତ କରାଯାଇଥିଲା ।
ଏହି ଦୁଇ କୁକୁର ହେଉଛନ୍ତି ଆଇଟିବିପି କେ୯ ଟିମର ସଦସ୍ୟ । ଏମାନେ ହରିୟାଣା ପଞ୍ଚକୁଲା ଅନ୍ତର୍ଗତ ଡଗ୍୍ ନ୍ୟାସନାଲ ଟ୍ରେନିଂ ସେଣ୍ଟରରେ ଛୁଆ ଜନ୍ମ ଦେଇଛନ୍ତି । ସେପ୍ଟେମ୍ବର ୨୬ରେ ଓଲ୍ଗା ୯ଟି ଛୁଆଙ୍କୁ ଜନ୍ମ ଦେଇଥିବା ବେଳେ ୪ ଅକ୍ଟୋବରକୁ ଓଲେଶ୍ୟା ୮ଟି ଛୁଆଙ୍କୁ ଜନ୍ମ ଦେଇଛି । ଯାହାକି ଭବିଷ୍ୟତରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରେ ଯୋଗ ଦେବେ ।
ଓଲ୍ଗା ଓ ଓଲେଶ୍ୟାଙ୍କ ବୟସ ୫ ବର୍ଷ ହେବ । ଏହି ଦୁଇ କୁକୁରଙ୍କ ବାପା ଗାଲା ମଧ୍ୟ ଆଇଟିବିପର ସେବାରେ ନିୟୋଜିତ ଅଛି । ଏହି ଦୁଇ କୁକୁର ଅନେକ ସମୟରେ ସୈନିକଙ୍କୁ ସୁରକ୍ଷା ଦେବାର ରେକର୍ଡ ମଧ୍ୟ କରିଛନ୍ତି । ଏମାନେ ତାଙ୍କ କ୍ୟାରିୟରରେ ଅନେକ ଥର ଆଇଡି ବମ ଚିହ୍ନଟ କରିବା ସହ ବଡ ବଡ ମିଶନରେ ମଧ୍ୟ ସାମିଲ ହୋଇଛନ୍ତି ।
ଗାଲା ମଧ୍ୟ ସେନାରେ ଯବାନଙ୍କୁ ସହଯୋଗ କରୁଛି । ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଅଟଳ ଟନେଲରେ ଗାଲାକୁ ସୁରକ୍ଷା ପାଇଁ ନିୟୋଜିତ କରାଯାଇଥିଲା ।
ବେଲଜିୟନ ମାଲନିଓଜ ବ୍ରିଡର କୁକୁର ସାଧାରଣତଃ ୨୪ରୁ ୨୬ ଇଞ୍ଚର ହୋଇଥାନ୍ତି । ତାଙ୍କ ଓଜନ ୨୦ରୁ ୩୦ କିଲୋ ପର୍ଯ୍ୟନ୍ତ ହୋଇଥାଏ । ଏହାସହ ୨୭ ଫୁଟ ଦୂରରୁ ଏମାନେ ନିଜ ଶିକାରକୁ ଟାର୍ଗେଟ କରି ଧରିଥାନ୍ତି । ଏହି କୁକୁର ୨ ଫୁଟ ଗଭୀରତା ଭିତରୁ ଜିନିଷକୁ ଶୁଙ୍ଘିକି ବାହାର କରିବାର ଦକ୍ଷତା ମଧ୍ୟ ରଖିଛିି ।