ଦୁଇଟି ଭିନ୍ନ କରୋନା ଟିକା ନେଲେ ଇଟାଲିର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି । ପ୍ରଥମ ଡୋଜରେ ଆଷ୍ଟ୍ରାଜେନିକା ଓ ଦ୍ୱିତୀୟ ଡୋଜରେ ଫାଇଜର, ପୂର୍ବରୁ ଭିନ୍ନ ଟିକା ନେବା ସପକ୍ଷରେ ଦେଇଥିଲେ ମତ ।

129

କନକ ବ୍ୟୁରୋ : ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ନେଇଛନ୍ତି ଦୁଇଟି ଭିନ୍ନ କରୋନା ଟିକା । ପ୍ରଥମ ଡ଼ୋଜରେ ଆଷ୍ଟ୍ରାଜେନିକା ଟିକା ନେଇଥିବା ବେଳେ ଗତ ସପ୍ତାହରେ ତାଙ୍କର ଆଂଟିବଡ଼ି କମ୍ ଥିବା ଜଣାପଡ଼ିଥିଲା । ତେଣୁ ଏକ ଭିନ୍ନ ଟିକା ନେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଗତ ସୋମବାର ଦ୍ରାଘି ଦ୍ୱିତୀୟ ଡ଼ୋଜ ଭାବେ ଫାଇଜର ଟିକା ନେଇଛନ୍ତି ।

ସେହିପରି ଜର୍ମାନ ଚାନସେଲର ଆଂଜେଲା ମାର୍କେଲ ମଧ୍ୟ ପ୍ରଥମ ଡ଼ୋଜ ଭାବେ ସ୍ୱିସ୍ କମ୍ପାନୀର ଆଷ୍ଟ୍ରାଜେନିକା ଟିକା ନେଇଥିଲେ । କିନ୍ତୁ ଦ୍ୱିତୀୟ ଡ଼ୋଜ ଭାବେ ମର୍ଡ଼ନା ଟିକା ନେଇଛନ୍ତି । ଏହି ଦୁଇଜଣ ରାଷ୍ଟ୍ରମୁଖ୍ୟ ଭିନ୍ନ ଟିକା ନେଇ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ସଂକ୍ରମଣ ରୋକିବା ପାଇଁ ଟିକାକରଣ ଏକ ମାତ୍ର ଅସ୍ତ୍ର ଭାବେ କାମ କରୁଛି । ଅନ୍ୟପଟେ କିଛି ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଗକୁ କରୋନା ଲଢେଇରେ ମିଶ୍ରିତ ଟିକା ବେଶ ପ୍ରଭାବୀ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି ।