ଆତଙ୍କବାଦୀଙ୍କୁ ମନ୍ତ୍ରୀ କରିଛନ୍ତି, ସରକାରକୁ ମାନ୍ୟତା ଦେବୁନି । ଜାଣନ୍ତୁ ତାଲିବାନ ସରକାରକୁ କିଏ ମାନ୍ୟତା ଦେବାକୁ ମନା କଲା?

235

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଏହାର ସରକାରକୁ ବିଶ୍ୱରେ ମାନ୍ୟତା ଦେବାକୁ ପାକିସ୍ତାନ ଜୋର ଲଗାଇ ଦେଇଛି । ତାଲିବାନକୁ ମାନ୍ୟତା ଦେବାକୁ ବିଶ୍ୱର ବିଭିନ୍ନ ଦେଶକୁ ମନାଉଛି ପାକିସ୍ତାନ । ଏଥିପାଇଁ କୂଟନୈତିକସ୍ତରରେ ଜୋରଦାର ଉଦ୍ୟମ କରୁଛି ପାକିସ୍ତାନ । ତେବେ ପାକିସ୍ତାନର ଏହି ପ୍ରୟାସକୁ ବଡ ଝଟକା ଦେଇଛି ଇଟାଲୀ । ତାଲିବାନ ସରକାରକୁ ମାନ୍ୟତା ଦେବ ନାହିଁ ବୋଲି ସିଧାସଳଖ ମନା କରିଛି ଇଟାଲୀ । ଏହାସହ ଇଟାଲୀ କହିଛି, ମାନବିକତାକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନରେ ଫଶିଥିବା ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଉଚିତ । ତେବେ ତାଲିବାନ ସରକାରକୁ ମାନ୍ୟତା ନ ଦେବା ପଛର ବଡ କାରଣ କହିଛି ଇଟାଲୀ ।

ଇଟାଲୀର ବୈଦଶିକ ମନ୍ତ୍ରୀ କହିଛନ୍ତି, ତାଲିବାନ ସରକାରକୁ ମାନ୍ୟତା ଦେବା ଅସମ୍ଭବ । କାରଣ ଏହି ସରକାରରେ ୧୭ ଜଣ ଆତଙ୍କବାଦୀଙ୍କୁ ମନ୍ତ୍ରୀ କରାଯାଇଛି । ଏହାଛଡା ଆଫଗାନିସ୍ତାନରେ ଏବେ ମହିଳା ଓ ଯୁବତୀଙ୍କ ମାନବଧିକାରକୁ ଲଗାତାର ପାଦରେ ଦଳମକଚି ଦିଆଯାଉଛି । ବିଭିନ୍ନ କ୍ଷେତ୍ରରେ କଟକଣା ଲଗାଇ ଆଫଗାନ ମହିଳାଙ୍କ ଉପରେ ଏକପ୍ରକାର ଜୁଲୁମ କରାଯାଉଛି । ଯାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ତେଣୁ ଏଭଳି ସ୍ଥିତିରେ ତାଲିବାନ ସରକାରକୁ ମାନ୍ୟତା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛି ଇଟାଲୀ ।

ଏହାଛଡା ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ଜି-୨୦ ବୈଠକ ବସୁ ବୋଲି ଚାହୁଁଛି ଇଟାଲୀ । କାରଣ ଅନ୍ୟ ଦେଶ ଗୁଡିକ ମିଳିତ ଭାବେ ଆଫଗାନିସ୍ତାନରେ ବଢୁଥିବା ଲୋକଙ୍କ ଦୁର୍ଦ୍ଦଶା ବାବଦରେ ଠୋସ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ଏପରିକି ଆଫଗାନିସ୍ତାନରେ ଯେପରି ଆର୍ଥିକ ସଙ୍କଟ ନ ଦେଖାଦେବ ସେଥିପାଇଁ ପ୍ରୟାସ କରିବା ଉଚିତ ବୋଲି କହିଛି ଇଟାଲୀ । ବିଭିନ୍ନ ଉପାୟରେ ଆଫଗାନିସ୍ତାନବାସୀଙ୍କ ଆର୍ଥିକ ସହାୟତା କରିବା ଦିଗରେ ବିଶ୍ୱ ଆଗକୁ ଆସୁ ବୋଲି କହିଛି ଇଟାଲୀ । ଆଫଗାନିସ୍ତାନ ପାଇଁ ଯେପରି ପଡୋଶୀ ଦେଶର ସ୍ଥିତି ଖରାପ ନହେଉ ସେଥିପାଇଁ ପ୍ରବାସୀ ସଙ୍କଟକୁ ଦୂର କରିବା ଦିଗରେ କାର୍ଯ୍ୟ କରିବା ଉଚିତ୍ ବୋଲି କହିଛି ଇଟାଲୀ ।