ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୫ ହଜାର । ଚୀନ ପରେ ଇଟାଲି ଓ ଇରାନରେ ସ୍ଥିତି ସଙ୍ଗୀନ । ଇଟାଲିରେ ଗୋଟିଏ ଦିନରେ ୨୫୦ ଜଣଙ୍କ ମୃତ୍ୟୁ ପରେ ବଢିଲା ଚିନ୍ତା

ସ୍ଥିତିକୁ ଦେଖି ଜରୁରୀକାଳୀନ ସ୍ଥିତି ଜାରି କଲେ ଆମେରିକା ଓ ସ୍ପେନ୍

347

କନକ ବ୍ୟୁରୋ: ବିଶ୍ୱରେ ୧୩୩ ଦେଶକୁ ବ୍ୟାପିଲାଣି କରୋନା ସଂକ୍ରମଣ । ଚୀନ, ଇଟାଲି ଓ ଇରାନରେ ଏବେ ଏହାର ପ୍ରଭାବ ଅଧିକ ରହିଛି । ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ ଚୀନରେ ବର୍ତମାନ ସୁଦ୍ଧା ବିଶ୍ୱରେ କରୋନା ସଂକ୍ରମଣରେ ୫ ହଜାର ୧୧୬ ଜଣ ଲୋକଙ୍କ ଜୀବନ ଗଲାଣି । ଚୀନରେ ସର୍ବାଧିକ ୩ ହଜାର ୧୭୬ ଜଣଙ୍କ ଜୀବନ ଯାଇଛି କରୋନାରେ । ଏହା ପଛକୁ ରହିଛି ଇଟାଲୀ । ଇଟାଲିରେ କରୋନା ମୃତ୍ୟୁ ସଂଖ୍ୟା ରହିଛି ୧ ହଜାର ୧୬ । ଇରାନରେ କରୋନା ମୃତ୍ୟୁ ସଂଖ୍ୟା ୫ ଶହ ୧୪ କୁ ବୃଦ୍ଧି ହୋଇଛି ।

ଶେଷ ଖବର ସୁଦ୍ଧା ବିଶ୍ୱର ୧୩୩ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୩୯ ହଜାର ୧୮ ବୋଲି ରିପୋର୍ଟ କହୁଛି । ୟୁରୋପୀୟ ଦେଶରେ କରୋନା ଏବେ ଭୟଙ୍କର ରୂପ ଧାରଣ କରିଛି । ଇଟାଲିରେ କରୋନା ସଂକ୍ରମଣ ସ୍ଥିତି ଜଟିଳ ରହିଛି । ଇଟାଲିରେ ୨୪ ଘଂଟାରେ କରୋନା ୨୫୦ ଜୀବନ ନେଇଥିବା ଖବର ଆସିଛି । ଇରାନରେ ଗୋଟିଏ ଦିନରେ ୮୫ ଜଣଙ୍କ ମୃତ୍ୟୁ କରୋନା କାରଣରୁ ହୋଇଥିବା ଜଣାପଡିଛି । ସେପଟେ କରୋନାକୁ ନେଇ ଆମେରିକା ଜାତୀୟ ଜରୁରୀ କାଳୀନ ସ୍ଥିତି ଘୋଷଣା କରିଛି । ସେହିପରି ସ୍ପେନ୍ ମଧ୍ୟ କରୋନାକୁ ନେଇ ଜରୁରୀକାଳିନ ସ୍ଥିତି ଜାରି କରିଛି । ଆଗାମୀ ୧୫ ଦିନ ପାଇଁ ଷ୍ଟେଟ୍ ଏମରଜେନ୍ସି ଘୋଷଣା କରିଛନ୍ତି ସ୍ପେନ୍ ସରକାର ।

ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭାଇରସ ଆମେରିକାରେ ୪୧ ଜଣଙ୍କ ଜୀବନ ନେଇଛି । ୧୭ ଶହ ଲୋକ ସଂକ୍ରମିତ ହୋଇଛନ୍ତି । ବିଶ୍ୱାସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସ ଜନିତ ସ୍ୱାସ୍ଥ୍ୟ ସଙ୍କଟକୁ ମହାମାରୀ ଘୋଷଣା କରିବା ପରେ ଆମେରିକା ଏଦିଗରେ ଯୁଦ୍ଧସ୍ତରରେ ପଦକ୍ଷେପ ନେଇଛି । କରୋନା ସଙ୍କଟର ସଫଳ ମୁକାବିଲା ପାଇଁ ରଷ୍ଟ୍ରପତି ଟ୍ରମ୍ପ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ସେ କହିଛନ୍ତି, ଆମେରିକାର ୪୬ଟି ରାଜ୍ୟ ଏବଂ ୱାସିଂଟନ ଡିସିରେ କରୋନା ପ୍ରତିକାର ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆମେରିକାର ୧୯ଟି ରାଜ୍ୟରେ ଏବେ କରୋନା କାୟା ବିସ୍ତାର କରିବାରେ ଲାଗିଛି ।