କନକ ବ୍ୟୁରୋ : ଜି-୭ ବୈଠକ ବର୍ତ୍ତମାନ ଇଟାଲୀରେ ଚାଲିଛି । ଇଟାଲୀ ନିଜେ ଏହି ବୈଠକ ଆୟୋଜନ କରୁଛି । ଏହି ବୈଠକରେ ଯୋଗ ଦେବା ପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ମୁଖ୍ୟମାନେ ପହଂଚିଛନ୍ତି । ଏହି ବୈଠକରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପହଂଚିଛନ୍ତି । ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆସିଥିବା ବିଭିନ୍ନ ଦେଶର ନେତାଙ୍କୁ ସ୍ୱାଗତ କରିବା ପାଇଁ ନିଜେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଉପସ୍ଥିତଥିଲେ । ମେଲୋନି ଅନ୍ୟ ଦେଶର ନେତାଙ୍କୁ ଯେଉଁଭଳି ଭାବେ ସ୍ୱାଗତ କରିଥିଲେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଭାରତବାସୀଙ୍କ ଛାତି ଗର୍ବରେ ଫୁଲିଉଠିଛି । ଭାଇରାଲ ହେଉଥିବା ଭିଡିଓରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଜି-୭ ଶିଖର ସମ୍ମିଳନୀରେ ପହଂଚିଥିବା ନେତାମାନଙ୍କୁ ହାତ ଯୋଡି ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ସେ ଜର୍ମାନ ଚାନ୍େସଲର ଓଲାଫ୍ ସ୍କୋଲ୍ଜଙ୍କୁ ନମସ୍କାର ବା ନମସ୍ତେ କରୁଥିବାର ଦେଖିବାକୁ ମିଳିଛି । ଏକ ଭିଡିଓରେ ଇଟାଲୀ ପ୍ରଧାନମନ୍ତ୍ରୀ ଭାରତୀୟ ପରମ୍ପରା ଅନୁଯାୟୀ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଅତିଥି ଜଣଙ୍କ ହାତ ମିଳାଇବା ପାଇଁ ହାତ ବଢ଼ାଉଛନ୍ତି, କିନ୍ତୁ ମେଲୋନି ତାଙ୍କୁ ହାତ ମିଳାଇବା ପରିବର୍ତ୍ତେ ନମସ୍କାର କରି ଅଭିନନ୍ଦନ ଜଣାଉଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସର ଇମାନୁଏଲ ମାକ୍ରୋନ୍, ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନର ଫୁମିଓ କିସଦା, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ଜର୍ମାନ ଚାନ୍େସଲର ଓଲାଫ୍ ସ୍କୋଲ୍ଜ ଜି-୭ରେ ଯୋଗ ଦେବା ପାଇଁ ଇଟାଲୀରେ ପହଂଚିଛନ୍ତି । ଏହି ସମସ୍ତ ନେତାଙ୍କୁ ମେଲୋନି ହାତ ଯୋଡ଼ି ନମସ୍କାର କରି ସ୍ୱାଗତ କରିଥିଲେ ।

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବାଇଡେନ ଅଜବ କାମ କରୁଥିବା ଦେଖିବାକୁ ମିଳୁଛି । ଏହି ସମୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଓ ମେଲୋନି ଆଗେଇ ଆସି ବାଇଡେନଙ୍କୁ ନିଜ ଅକ୍ତିଆରକୁ ଆଣିଥିଲେ । ଏହାପରେ ଏକ ଗ୍ରୁପ୍ ଫଟୋସୁଟ୍ କରିବା ଆରମ୍ଭ କରିଥିଲେ  ।

ଗୁରୁବାର ଇଟାଲୀରେ ପହଂଚିବା ପରେ ଜୋ ବାଇଡେନ୍ ଧୀରେ ଧୀରେ ମେଲୋନିଙ୍କ ଆଡକୁ ଅଗ୍ରସର ହେଉଥିବା ଜଣାପଡିଛି । ଏହାବ୍ୟତୀତ ବାଇଡେନ୍ ଏକ ଅଜବ ଢଙ୍ଗରେ ସଲାମ କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସେ ଏକ ଫଟୋ ଉଠାଇ ଏକାଠି ଛିଡା ହୋଇଥିବା ନେତାଙ୍କ ଗୋଷ୍ଠୀଠାରୁ ଦୂରେଇ ଯାଇଥିଲେ । ଯେତେବେଳେ ମେଲୋନିଙ୍କ ଦୃଷ୍ଟି ବାଇଡେନଙ୍କ ପାଖକୁ ଗଲା, ସେ ତାଙ୍କୁ ଏକାଠି କରିଥିଲେ । ନିକଟରେ ବାଇଡେନଙ୍କ ବିରୋଧୀ ଦଳ ଆମେରିକାରେ ବାଇଡେନଙ୍କ ସ୍ୱାସ୍ଥ୍ୟଉପରେ ପ୍ରଶ୍ନ ଉଠାଇଛି ।

ଜି-୭ ସମ୍ମିଳନୀ ପୂର୍ବରୁ ଇଟାଲୀ ସଂସଦରେ ସେଠାକାର ସାଂସଦମାନେ ପରସ୍ପର ସହ ମୁହାଁମୁହିଁ ହୋଇ ମାଡ଼ ମାରିବା ଆରମ୍ଭ କରିଥିଲେ । ଏହି ମାରପିଟର ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।