ଆସନ୍ତା ୪୮ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ : କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି; ଓଡ଼ିଶାରେ କମ୍‌ ରହିବ ଲଘୁଚାପ ବର୍ଷାର ପ୍ରଭାବ

348

କନକ ବ୍ୟୁରୋ :  କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉକ୍ତ ସ୍ଥାନରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହିତ ଜଡ଼ିତ ଘୂଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ଏହି ଲଘୁଚାପ ପ୍ରଭାବରେ ଦକ୍ଷିଣ ଭାରତ ସମେତ ବାଂଲାଦେଶ ଓ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ପଶ୍ଚିମବଙ୍ଗରେ ପ୍ରାୟତଃ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କିନ୍ତୁ ଓଡ଼ିଶାରେ ଏହାର ପ୍ରଭାବ କମ୍‌ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି ।

ଆକଳନ କରାଯାଉଛି, ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ଏହାପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଆନ୍ଧ୍ର-ଓଡ଼ିଶା ଉପକୂଳର ଦୂରରେ ପଶ୍ଚିମ-ଉତ୍ତର ବଙ୍ଗୋପସାଗରକୁ ଗତି କରିବ । ୨୩ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟତର ହେବା ବେଳେ ୨୪ ତାରିଖରେ ଉତ୍ତର ଉପକୂଳ ଯଥା ଚାନ୍ଦବାଲିଠାରୁ ଦୂରରେ ରହିବ। ୨୫ ତାରିଖରେ ପଶ୍ଚିମବଙ୍ଗ/ବାଂଲାଦେଶ ଉପକୂଳ ସ୍ପର୍ଶ କରିପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲି ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପ୍ରବଳ ବର୍ଷା ହୋଇପାରେ ।

ଏନେଇ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କିନ୍ତୁ ୨୨ ତାରିଖ ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ପ୍ରବଳ ବର୍ଷା ହେବ । ୨୩ ତାରିଖ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ତେବେ ଯେକୌଣସି ପରିସ୍ଥିତି ପାଇଁ ସଜାଗ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିସନର୍‌ ପ୍ରଦୀପ ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଓଡ଼ିଶା ଉପକୂଳକୁ ମତ୍ସ୍ୟଜୀବୀମାନଙ୍କୁ ନଯିବାକୁ କୁହାଯାଇଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଲଘୁଚାପ ପ୍ରଭାବରେ ୨୧ରୁ ୨୩ ତାରିଖ ମଧ୍ୟରେ ଆନ୍ଧ୍ର, ତାମିଲନାଡୁ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବ । ପଶ୍ଚିମବଙ୍ଗରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଓଡ଼ିଶାରେ ସବୁଠାରୁ କମ୍‌ ବର୍ଷା ହେବ । ୨୧ ଓ ୨୨ ତାରିଖରେ ଜଗତସିଂହପୁରରୁ ଗଞ୍ଜାମ ଉପକୂଳ ସହିତ ଗଜପତି ଓ ରାୟଗଡ଼ାରେ ସ୍ବଳ୍ପରୁ ମଧ୍ୟମ (୩୫ ମିମି) ବର୍ଷା ହେବ । ୨୩ ତାରିଖରେ ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ଓ ଗୋଟିଏ ବା ଦୁଇଟି ସ୍ଥାନ‌ରେ ପ୍ରବଳ ବର୍ଷା ହେବ । ୨୪ ତାରିଖରେ ପୁରୀଠାରୁ ବାଲେଶ୍ୱର ଉପକୂଳରେ ବର୍ଷା ଥିବା ବେଳେ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅନ୍ୟାନ୍ୟ ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ବା ସ୍ୱଳ୍ପ ବର୍ଷା ହୋଇପାରେ ।