କନକ ବ୍ୟୁରୋ : ଓଡ଼ିଶାକୁ ବିଳମ୍ବରେ ଆସିବ ଶୀତ। ବିଳମ୍ବରେ ଆସିଲେ ମଧ୍ୟ ପ୍ରବଳ ଶୀତ ପ୍ରବାହ ଦେଶରେ ତଥା ରାଜ୍ୟରେ ଅନୁଭୂତ ହେବ। ଏଥିସହ ଓଡ଼ିଶାରେ ନଭେମ୍ବର ଓ ଡିସେମ୍ବରରେ ଶୀତଦିନିଆ ବର୍ଷାର ପରିମାଣ ସ୍ବାଭାବିକଠାରୁ ଅଧିକ ରହିବ। ସାଧାରଣତଃ ପ୍ରତିବର୍ଷ ନଭେମ୍ବରରୁ ଶୀତ ପଡ଼ିବା ଆରମ୍ଭ ହୋଇଯାଏ। କିନ୍ତୁ ଚଳିତ ବର୍ଷ ନଭେମ୍ବରରେ ତାପମାତ୍ରା ସ୍ବାଭାବିକ୍ କିମ୍ବା ତା’ଠାରୁ ଟିକେ ଅଧିକ ରହିବ। ଡିସେମ୍ବରରୁ ତାପମାତ୍ରା ଖସିବା ଆରମ୍ଭ କରିବ ଓ ଶୀତ ଆରମ୍ଭ ହେବ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଚଳିତ ବର୍ଷ ଲା-ନିନା ପ୍ରଭାବରେ ନଭେମ୍ବରଠାରୁ ଜାନୁଆରି ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ଅଧିକ ବର୍ଷାର ସମ୍ଭାବନା ରହିଛି। ଶୀତ ଆସିବାରେ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଡିସେମ୍ବର ଓ ଜାନୁଆରିରେ ଶୀତର ପ୍ରକୋପ ଅଧିକ ହୋଇପାରେ। ଓଡ଼ିଶାରେ ଶୀତଦିନିଆ ବର୍ଷା ଅଧିକ ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ୁଛି। ଗତ ଅକ୍ଟୋବର ୧୩ ତାରିଖରେ ଅଷ୍ଟ୍ରେଲିଆର ପାଣିପାଗ ସଂସ୍ଥା ଓ ୧୫ରେ ଆମେରିକାର ଏନ୍ଓଏଏ ଏବଂ କଲମ୍ବିଆ ବିଶ୍ବବିଦ୍ୟାଳୟର ପାଣିପାଗ ଗବେଷଣା କେନ୍ଦ୍ର ଲା-ନିନାର ସାମ୍ପ୍ରତିକ ପରିସ୍ଥିତି ଓ ପାଣିପାଗର ପୂର୍ବାନୁମାନ ପ୍ରକାଶ କରିଛନ୍ତି। ସେଥିରୁ ଜଣାପଡ଼ୁଛି ଯେ, ଉଷ୍ମ କଟିବନ୍ଧ ପ୍ରଶାନ୍ତ ମହାସାଗରରେ ଗତ ସେପ୍ଟେମ୍ବରରେ ଜଳପତ୍ତନର ତାପମାତ୍ରା ସ୍ବାଭାବିକଠାରୁ ୦.୫ ଡିଗ୍ରି କମ୍ ରହିଥିଲା ଓ ତାହା ଅକ୍ଟୋବର ୧୧ ତାରିଖ ସୁଦ୍ଧା କ୍ରମଶଃ କମି ତ୍ରୟୋମାସିକ ତାପମାତ୍ରା ହାରାହାରି ୦.୭୭ ଡିଗ୍ରି ସେଲ୍ସିୟସ୍ କମ୍ ରହିଛି। ଆକଳନ କରାଯାଉଛି ଯେ ପ୍ରଶାନ୍ତ ମହାସାଗରୀୟ ନିନୋ ୩.୪ରେ ଜଳପତ୍ତନ ତାପମାତ୍ରା ଜାନୁଆରି ସୁଦ୍ଧା ୧.୭ ଡିଗ୍ରି ସେଲ୍ସିୟସ୍ କମି ଲା-ନିନା ଅଧିକ ଶକ୍ତି ଜୁଟାଇବ ଓ ଏହାପରେ ଦୁର୍ବଳ ହୋଇପାରେ। ଗତ ଦୁଇ ସପ୍ତାହରେ ଭାରତ ମହାସାଗରର ଜଳପତ୍ତନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିଲା ଏବଂ ଆକଳନ କରାଯାଉଛି ଏହାର ଉଷ୍ମତା ଜାନୁଆରିରେ ସ୍ବାଭାବିକରେ ପହଞ୍ଚିବ।