ମୁଖ୍ୟମନ୍ତ୍ରୀଙ୍କୁ ସାଢେ ଚାରି କୋଟି ଓଡିଆଙ୍କ ଠାକୁର କହିବା ପ୍ରସଙ୍ଗ । ସଫେଇ ରଖିଲେ ଉପବାଚସ୍ପତି, ‘ଠାକୁର କହିବା ପାଟିରୁ ଖସି ଯାଇଥିଲା; ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଉଥିବାରୁ ଦେବତାତୂଲ୍ୟ କହିଥିଲି’

307

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ସାଢେ ୪ କୋଟି ଓଡିଆଙ୍କ ଠାକୁର କହିବା ପ୍ରସଙ୍ଗରେ ସଫେଇ ରଖିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ । ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଂଟନ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କୁ ଠାକୁର ବୋଲି ସମ୍ବୋଧନ କରିଥିଲେ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ । ଏହାକୁ ନେଇ ଥାନାରେ ମାମଲା ହୋଇଥିବାବେଳେ ଆଜି ସେ ସଫେଇ ରଖିଛନ୍ତି ।

ସେ କହିଛନ୍ତି, ଠାକୁର କହିବା ସ୍ଲିପ ଅଫ ଟଙ୍ଗ ବା ପାଟିରୁ ଖସି ଯାଇଥିଲା । ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମାଗଣା ସ୍ୱାସ୍ଥ୍ୟସେବା ଚଳାଇଥିବାରୁ ସେ ଦେବତାତୂଲ୍ୟ ବୋଲି କହିଛନ୍ତି ରଜନୀକାନ୍ତ ସିଂ । କରୋନା ସମୟରେ ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସହ ଏବେ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ଜରିଆରେ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଲୋକଙ୍କ ଜୀବନରକ୍ଷାକାରୀ ଯୋଜନା ଚଳାଇଥିବାରୁ ମୁଖ୍ୟମନ୍ତ୍ରୀ ଓଡିଆଙ୍କ ପାଇଁ ଦେବତାତୂଲ୍ୟ ବୋଲି ସେ ପୁଣି ସଫେଇରେ କହିଛନ୍ତି ।

ଗତ ଶନିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଷ୍ଟାଡିୟମ୍‌ରେ ସଭା କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ଉପବାଚସ୍ପତି ରଜନୀକାନ୍ତ ସିଂହ କହିଥିଲେ ଯେ ଅନୁଗୁଳକୁ ଆମ ମୁଖ୍ୟମନ୍ତ୍ରୀ ଆସିଛନ୍ତି । ଓଡ଼ିଶାର ସାଢେ ୪ କୋଟି ଲୋକଙ୍କର ଠାକୁର ବୋଲି ଆମେ ଯାହାକୁ ମାନୁଛନ୍ତି, ସେହି ମୁଖ୍ୟମନ୍ତ୍ରୀ ଅନୁଗୁଳ ମାଟିରେ ପାଦ ପକାଇଛନ୍ତି । ମୁଖ୍ୟମନ୍ତ୍ରୀ ଏଠାକୁ ଆସିବା ଆମ ପାଇଁ ଏକ ଗୌରବର କଥା ବୋଲି ଉପବାଚସ୍ପତି କହିଥିଲେ । ଭରପୂର ସଭାରେ ଉପବାଚସ୍ପତିଙ୍କ ଏମିତି ମନ୍ତବ୍ୟ ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଓଡ଼ିଶାର ଠାକୁର ବୋଲି ଜଗନ୍ନାଥଙ୍କୁ ରାଜ୍ୟବାସୀ ଜାଣିଥାନ୍ତି ।