କନକ ବ୍ୟୁରୋ: ବିଶ୍ୱକପରେ ଗର୍ଜୁଛି ବିରାଟଙ୍କ ବ୍ୟାଟ । ବଡ ବଡ ଇଂନିସ କରି ଭାରତକୁ ବିଜୟୀ କରାଉଛନ୍ତି କିଙ୍ଗ କୋହଲି । ତେବେ କାଲିର ମ୍ୟାଚ ବିରାଟଙ୍କ ପାଇଁ ନିହାତି ସ୍ମରଣୀୟ ହୋଇ ରହିବ । କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ମ୍ୟାଚରେ ବିରାଟ ଦମଦାର ଶତକ ହାସଲ କରିଛନ୍ତି । ଆଉ ଏହି ଶତକ ସହ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । କେବଳ ଏହି ରେକର୍ଡ ନୁହେଁ ବିରାଟ ନିଜର ୩୫ତମ ଜନ୍ମଦିନରେ ଏହି ଶତକ ହାସଲ କରିଥିବାରୁ ଏହା ତାଙ୍କ ପାଇଁ ବଡ ଦିନ ।

Advertisment

ସଚିନ ୪୫୨ଟି ଇଂନିସ ଖେଳି ୪୯ ଶତକ ହାସଲ କରିଥିଲେ । ସେହିପରି ବିରାଟ ମାତ୍ର ୨୭୭ଟି ଇଂନିସ ଖେଳି ୪୯ ଶତକ ହାସଲ କରିଛନ୍ତି । ତେବେ ଏହି ଉପଲବ୍ଧି ପାଇଁ ଯେଉଁଠି ସଚିନଙ୍କୁ ୨୨ ବର୍ଷ ଲାଗିଥିଲା ସେଠି ବିରାଟ ମାତ୍ର ୧୫ ବର୍ଷରେ ଏହା କରି ଦେଖାଇଛନ୍ତି । ବିରାଟ ଏହି ଶତକ ସହ ସଚିନଙ୍କ ସମକକ୍ଷ ହେବା ପରେ ସଚିନ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି । ଆଉ ଲେଖିଛନ୍ତି, ମୋତେ ୪୯ରୁ ୫୦ ଶତକ କରିବାକୁ ୩୬୫ ଦିନ ସମୟ ଲାଗିଥିଲା । ଆଶା କରୁଛି ବିରାଟ କୋହଲି ଆଉ ଅଳ୍ପ ଦିନ ଭିତରେ ମୋ ରେକର୍ଡ ଭାଙ୍ଗିଦେବେ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗତକାଲି ଭାରତ ବଡ ବିଜୟ ହାସଲ କରିଛି । ଭାରତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୩୨୬ ରନର ବିଶାଳ ସ୍କୋର କରିଥିଲା । ସବୁ ମ୍ୟାଚ ପରି ଏହି ମ୍ୟାଚରେ ବି ଜୟ-ଭୀରୁ ଯୋଡିର କମାଲ ଦେଖିବାକୁ ମିଳିଥିଲା । ରୋହିତ ୪୦ ରନରେ ଆଉଟ ହେବା ପରେ ବିରାଟ ନିଜ ଦମ ଦେଖାଇଥିଲେ । ବିରାଟ ଏହି ମ୍ୟାଚରେ ଶତକୀୟ ପାଳି ଖେଳିଥିଲେ । ଆଉ ଏଥିରେ ତାଙ୍କ ସାଥ ଦେଇଥିଲେ ଶ୍ରେୟାସ ଆୟର । ସେ ବି ୭୭ ରନର ବିସ୍ଫୋରକ ପାଳି ଖେଳିଥିଲେ । ହେଲେ ୩୨୭ ରନର ଟାର୍ଗେଟ ନେଇ ଆସିଥିବା ଦକ୍ଷିଣ ଆଫ୍ରିକା ଦଳ କିନ୍ତୁ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲା । ଜାଡେଜାଙ୍କ ଯାଦୁଗରୀ ବୋଲିଂ ଧୂଳିସାତ ହୋଇଯାଇଥିଲା ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଲାଇନ । ଫଳରେ ଭାରତ ଏହି ମ୍ୟାଚରେ ୨୪୩ ରନରେ ବିରାଟ ବିଜୟ ହାସଲ କରିଥିଲା ।

ଚଳିତ ବିଶ୍ୱକପରେ ବିରାଟ କୋହଲି ୫୪୩ ରନ କରି ଭାରତ ପାଇଁ ସର୍ବାଧିକ ରନ ସ୍କୋରର ହୋଇପାରିଛନ୍ତି । ସେହିପରି ପୂରା ବିଶ୍ୱକପରେ ସେ ଦ୍ୱିତୀୟ ରନ ସ୍କୋରର ହୋଇଛନ୍ତି । ସେ ୮ଟି ମ୍ୟାଚ ଖେଳି ୨ ଶତକ ଓ ୪ଟି ଅର୍ଦ୍ଧଶତକ ବି ହାସଲ କରିଛନ୍ତି । ତେବେ ଚଳିତ ବିଶ୍ୱକପ ଏବେ ଯାଏଁ ବିରାଟ ଦମଦାର ପ୍ରଦର୍ଶନ କରିଆସିଛନ୍ତି । ସେମିଫାଇନାଲରେ ବିରାଟଙ୍କ ବ୍ୟାଟରୁ ଆଉ ଏକ ଶତକ ସହ ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ଅପେକ୍ଷା କରିଛନ୍ତି ଫ୍ୟାନ ।