ଆଶ୍ୱସ୍ତ କରୁଛି କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା : ରାଜ୍ୟରେ ସୁସ୍ଥ ହେଲେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ; ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୨ ହଜାର ୩୦୨

152

କନକ ବ୍ୟୁରୋ : କରୋନା ସଂକଟ ଭିତରେ ଆସିଛି ଆଶ୍ୱସ୍ତର ସୂଚନା । ରାଜ୍ୟରେ କରୋନା ରୋଗୀ ସୁସ୍ଥ ହେବା ସଂଖ୍ୟା ୨ ଲକ୍ଷ ଟପିଛି । ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ ଲକ୍ଷ ୨ ହଜାର ୩୦୨ ହୋଇଛି । ଏବେ ବି ରାଜ୍ୟରେ ୨୯ ହଜାର ୪୫୧ ଜଣ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ଏଯାଏଁ ମୋଟ ୨ ଲକ୍ଷ ୩୨ ହଜାର ୭୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା କରୋନା ଭୂତାଣୁ ସଂକ୍ରମଣରୁ ୯୦୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ହିସାବ ଅନୁସାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସୁସ୍ଥତା ହାର ପ୍ରାୟ ୮୭ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ମାତ୍ର ଶୂନ ଦଶମିକ ୩୯ ପ୍ରତିଶତ ରହିଛି । ଅନ୍ୟପଟେ ଦେଶରେ କୋଭିଡ୍ ସୁସ୍ଥତା ହାର ପ୍ରାୟ ୮୪ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୧.୫୫ ପ୍ରତିଶତ ରହିଛି ।  ଏହା ସହ ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ୩୪ ଲକ୍ଷ ୪୦ ହଜାର ୮୩୫  ନମୂନା ପରୀକ୍ଷଣ ହୋଇଛି । ନମୂନା ପରୀକ୍ଷାର ମାତ୍ର ୬ ଦଶମିକ୭୬ ପ୍ରତିଶତ ପଜିଟିଭ୍ ଆସୁଛି ଏବଂ ଅବଶିଷ୍ଟ ୯୩ ଦଶମିକ ୨୪ ପ୍ରତିଶତ ନେଗେଟିଭ୍ ଆସୁଛି ।

ଜିଲ୍ଲାରେ କରୋନା ସଂକ୍ରମଣ ତାଲିକା ଉପରେ ନଜର ପକାଇଲେ ବର୍ତମାନ ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା ଏବଂ ତା ପଛକୁ ରହିଛି କଟକ । ବର୍ତମାନ ଖୋର୍ଦ୍ଧା ଜିଲ୍ଲାରେ ୪୦ ହଜାର ୧୯୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରେ ଏହି ସଂଖ୍ୟା ୨୧ ହଜାର ୭୭୩ ଜଣ ରହିଛି । ତେବେ କୋଭିଡ୍ ମୃତ୍ୟୁ ସଂଖ୍ୟା ତାଲିକାରେ ଗଂଜାମରେ ସର୍ବାଧିକ ୨୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧାରେ ମୃତକଙ୍କ ସଂଖ୍ୟା ୧୪୯ ରହିଛି ।