କନକ ବ୍ୟୁରୋ : ଆଜିର ଦିନରେ ଭାରତୀୟ ଆଇଟି ସେକ୍ଟରରେ ଏକ ନୂଆ ସମସ୍ୟା ଦେଖିବାକୁ ମିଳିଛି । ଟିସିଏସ, ଇନଫୋସିସି ଓ ୱିପ୍ରୋ ଭଳି ବଡ ବଡ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କ ନିଜ ପାଖରେ ବାନ୍ଧି ରଖିବାରେ ଅସଫଳ ହେଉଛନ୍ତି । ଏହି କମ୍ପାନୀମାନଙ୍କରେ ଆଜିର ଦିନରେ ଚାକିରୀ ଛାଡୁଥିବା କର୍ମଚାରୀଙ୍କ ସଂଖ୍ୟା ଲଗାତର ବଢିବାରେ ଲାଗିଛି । ଏନେଇ କମ୍ପାନୀମାନେ ସେମାନଙ୍କ ସ୍ଥାନ ପୁରଣ କରିବାକୁ ଫ୍ରେସରମାନଙ୍କୁ ସୁଯୋଗ ଦେଉଛି ।

Advertisment

ଭାରତରେ କାମ କରୁଥିବା ସବୁଠାରୁ ବଡ ୩ ଟି କମ୍ପାନୀ ବୁଧବାର ଦିନ ତ୍ରୈଇମାସିକ ଫଳାଫଳ ଜାରି କରିଛନ୍ତି । ଏହି ସମୟରେ କମ୍ପାନୀମାନେ ୩ ମାସ ମଧ୍ୟରେ ଚାକିରୀ ଛାଡିଥିବା କର୍ମଚାରୀଙ୍କ ସଂଖ୍ୟା ବାବଦରେ ସୂଚନା ଦେଇଛି । ଏହି କ୍ରମରେ ବିଗତ ୩ ମାସ ମଧ୍ୟରେ ଟିସିଏସରୁ ଚାକିରୀ ଛାଡିଥିବା କର୍ମଚାରୀଙ୍କ ସଂଖ୍ୟା ୧୫.୩ ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବ ୩ ମାସର ରିପୋର୍ଟରେ ଏହି ସଂଖ୍ୟା ୧୧.୯ ପ୍ରତିଶତ ଥିଲା ।

ଅନ୍ୟପଟେ ଗତ ୩ ମାସ ମଧ୍ୟରେ ଇନଫୋସିସରୁ ସବୁଠାରୁ ଅଧିକ କର୍ମଚାରୀ ଚାକିରୀ ଛାଡିଥିବା କଥା କୁହାଯାଇଛି । ଗତ ୩ ମାସ ମଧ୍ୟରେ ଇନଫୋସିସରୁ ଚାକିରୀ ଛାଡିଥିବା କର୍ମଚାରୀଙ୍କ ସଂଖ୍ୟା ୨୫.୫ ପ୍ରତିଶତକୁ ବୃଦ୍ଧି ପାଇଛି । ଗୋଟିଏ ବର୍ଷ ମଧ୍ୟରେ ୧୧ ପ୍ରତିଶତରୁ ଅଧିକ କର୍ମଚାରୀ ଇନଫୋସିସରୁ ଚାକିରୀ ଛାଡିସାରିଛନ୍ତି । ଏନେଇ କମ୍ପାନୀ ୫୫ ହଜାର ଫ୍ରେସର୍ସଙ୍କ ନିଯୁକ୍ତି ଦେବା ନେଇ ବିଜ୍ଞାପନ ଜାରି କରିଛି ।

ତୃତୀୟ ସ୍ଥାନରେ ଥିବା ୱିପ୍ରୋର ସ୍ଥିତି ବି ଭଲ ନାହିଁ । ଗତ ୩ ମାସ ମଧ୍ୟରେ ଏହି ଆଇଟି କମ୍ପାନୀରୁ ଚାକିରୀ ଛାଡିଥିବା କର୍ମଚାରୀଙ୍କ ସଂଖ୍ୟା ୨୦.୫ ପ୍ରତିଶତ    । ଏନେଇ ୱିପ୍ରୋ ୩୪ ହଜାର ଫ୍ରେସର୍ସଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରିଛି । ଏକ ରିପୋର୍ଟ ମୁତାବକ ଚଳିତ ଆର୍ଥିକ ବର୍ଷରେ ୩ ଟି ଆଇଟି କମ୍ପାନୀ ୧.୩୪ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ଦେଇଛି ।