କନକ ବ୍ୟୁରୋ : କାନପୁରର ଅତର ବ୍ୟବସାୟୀ ପୀୟୁଷ ଜୈନଙ୍କ ଘରେ ଆୟକର ବିଭାଗର ଚଢାଉ ପରେ ଯାହା ଦେଖିବାକୁ ମିଳିଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କାରଣ ଚଢାଉ ସମୟରେ ଆୟକର ବିଭାଗକୁ ମିଳିଛି ବସ୍ତା ବସ୍ତା ଟଙ୍କା ବିଡା । ପୀୟୁଷଙ୍କ ଘରେ ଥିବା ବିଭିନ୍ନ ଆଲମାରିରୁ ଟଙ୍କା ବିଡା ଜବତ କରାଯାଇଥିବା ବେଳେ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଟଙ୍କା ଗଣା ସରୁନି । ୮ଟି ଟଙ୍କା ଗଣା ମେସିନରେ ବ୍ୟାଙ୍କ୍ ଅଧିକାରୀ ଟଙ୍କା ଗଣୁଥିଲେ ମଧ୍ୟ ଏହାର ଶେଷ ହେଉନି ।
ସୂଚନା ମୁତାବକ, କନୌଜରେ ପରଫ୍ୟୁମ୍ ବ୍ୟବସାୟ କରୁଥିବା ପୀୟୁଷଙ୍କ କାନପୁର ସ୍ଥିତ ବାସଭବନରେ ରେଡ୍ କରିଥିଲେ ଉଭୟ ଡିଜିଜିଆଇ ଓ ଆୟକର ବିଭାଗ । ଏହି ସମୟରେ ତାଙ୍କ ଘରୁ ମିଳିଥିଲା ଟଙ୍କାର ଭଣ୍ଡାର । ପ୍ରକୃତରେ ପ୍ରଥମେ ରେଡ୍ ଆରମ୍ଭ କରିଥିଲା ଡିଜିଜିଆଇ (ଜିଏସଟି ଇଣ୍ଟଲଜେନ୍ସି ମହାନିର୍ଦ୍ଦେଶାଳୟ) ।ହେଲେ ଏତେ ପରିମାଣ ଟଙ୍କା ମିଳିବା ପରେ ଆୟକର ବିଭାଗ ଚଢଉ କରିଥିଲା । ଏତେ ଟଙ୍କା ମିଳିଲା ଯେ, ବାଧ୍ୟ ହୋଇ ବିଭାଗୀୟ ଅଧିକାରୀ ଟଙ୍କା ଗଣିବା ପାଇଁ ଗୋଟେ ଦୁଇଟି ନୁହେଁ ଚାରି ଚାରୋଟି ମେସିନ ମଗାଇଲେ । ତଥାପି ୨୪ ଘଣ୍ଟା ପରେ ବି ସରିଲାନି ଟଙ୍କା ଗଣା ।ଟଙ୍କା ନେବାକୁ ଆୟକର ବିଭାଗ ୬ଟି ବଡବଡ ଟିଣ ବାକ୍ସ ମଗାଇଛି । ହେଲେ ଏଯାଏଁ ଟଙ୍କା ଗଣତି ସରିନଥିବା ସୂଚନା ରହିଛି । ତେବେ ଏତିକି ନୁହେଁ ପୀୟୁଷଙ୍କ ଏକାଧିକ ବ୍ୟବସାୟୀକ ଅନୁଷ୍ଠାନ ଉପରେ ଏବେ ଆୟକରର ନଜର ।
#WATCH | As per Central Board of Indirect Taxes and Customs chairman Vivek Johri, about Rs 150 crores have been seized in the raid, counting still underway.
Visuals from businessman Piyush Jain's residence in Kanpur. pic.twitter.com/u7aBTJhGxW
— ANI (@ANI) December 24, 2021
ତେବେ ଜାଣନ୍ତି କି କିଏ ଏହି ବ୍ୟବସାୟୀ ପୀୟୁଷ?
କିଛି ମାସ ତଳେ ସମାଜବାଦୀ ପାର୍ଟି ତରଫରୁ ଏକ ପରଫ୍ୟୁମ୍ ଲଞ୍ଚ କରାଯାଇଥିଲା । ଯାହା ପାର୍ଟିକୁ ମହକାଇବା ସହ ଦଳ ଭିତରେ ଥିବା ମତଭେଦକୁ ଦୂରେଇଦେବ ବୋଲି କହିଥିଲେ । ଏହି ପରଫ୍ୟୁମକୁ ପ୍ରସ୍ତୁତ କରିବାକୁ ୩ଜଣ ବ୍ୟକ୍ତି ଅନେକ ଗବେଷଣା କରିଥିଲେ । ଏହି ପରଫ୍ୟୁମରେ କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ମିଳୁଥିବା ୧୦୦ରୁ ଉଦ୍ଧ୍ୱର୍ ହର୍ବାଲ ସାମଗ୍ରୀ ବ୍ୟବହାର ହୋଇଥିବା କୁହାଯାଇଥିଲା । ଏହି ପରଫ୍ୟୁମକୁ ପ୍ରସ୍ତୁତ କରିବାକୁ ଦାୟୀତ୍ୱ ନେଇଥିବା ବ୍ୟକ୍ତି ହେଉଛନ୍ତି ପୀୟୁଷ ଜୈନ ।
ଏହାକୁ ନେଇ ସମାଜବାଦୀ ପାର୍ଟି ଓ ବିରୋଧୀଙ୍କ ମଧ୍ୟରେ ଏବେ ଟଣା ଓଟରା ଆରମ୍ଭ ହୋଇଛି । ବିଜେପିର ଏକାଧିକ ନେତା ଏହାକୁ ସମାଜବାଦୀ ପାର୍ଟିର କଳାଧନ ବୋଲି କହିଛନ୍ତି । ସମାଜବାଦୀ ପାର୍ଟିର ପରଫ୍ୟୁମରୁ ସୁଗନ୍ଧ ବାହାରୁନି ବରଂ ଭ୍ରଷ୍ଟାଚାରର ଦୁର୍ଗନ୍ଧ ବାହାରୁଛି ବୋଲି ଅଭିଯୋଗ ଆଣିଛି ଉତ୍ତରପ୍ରଦେଶ ବିଜେପି । । ଅନ୍ୟପଟେ ଏହାକୁ ନେଇ ପାଲଟା ଜବାବ ଦେଇଛନ୍ତି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ତାଙ୍କୁ ଓ ତାଙ୍କ ଦଳକୁ ବଦନାମ କରିବାକୁ ଏବେ ବିଜେପି କେନ୍ଦ୍ର ଯାଞ୍ଚ ସଂସ୍ଥାକୁ ହାତ କରି ଚଢଉ କରୁଛି । ଏପରି କରି ତାଙ୍କୁ ବିଜେପି ତାଙ୍କୁ ଡରେଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ଅଖିଳେଶ ।
ଜିଏସଟି ଇଣ୍ଟଲଜେନ୍ସିଂର ଅହମ୍ମଦାବାଦ ୟୁନିଟ୍ ପକ୍ଷରୁ କୁହାଯାଇଛି ଯେ, ପୀୟୁଷ ଜୈନଙ୍କ ଘରୁ ପୁଳା ପୁଳା ଟଙ୍କା ବିଡା ଜବତ କରାଯାଇଛି । କାନପୁରର ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ ଏହି ଟଙ୍କା ଗଣାଯାଉଛି । କିନ୍ତୁ ଏଯାବତ ଟଙ୍କା ଗଣା ସରିନି । ଜବତ ହୋଇଥିବା ଟଙ୍କାର ମୂଲ୍ୟ ୧୫୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି । ଏବେସୁଦ୍ଧା ୬ଟି ବକ୍ସ ଭିତରେ ଜବତ ଟଙ୍କା ଭର୍ତ୍ତି କରାଯାଇଛି । ଏହି ବାକ୍ସକୁ ଆୟକର ବିଭାଗ ନିଜ ସାଥୀରେ ନେଇଯିବ । ଆଉ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।