କନକ ବ୍ୟୁରୋ : ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ବିବିସି କାର୍ଯ୍ୟାଳୟରେ ଗତ ୩ଦିନ ଧରି ଆୟକର ବିଭାଗର ଚଢାଉ ଜାରି ରହିଛି । ଏହି ଦୁଇଟି କାର୍ଯ୍ୟାଳୟରେ ଫେବୃଆରୀ ୧୪ ତାରିଖରୁ ଚଢାଉ ଜାରି ରଖିଛି ଆୟକର ବିଭାଗ । ଇଣ୍ଟରନ୍ୟାସନାଲ ଟ୍ୟାକ୍ସ ହେରଫେର ମାମଲାରେ ଏହି ଚଢାଉ କରାଯାଉଥିବା କଥା ଆୟକର ବିଭାଗ ତରଫରୁ କୁହାଯାଇଛି । ଚଢାଉ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ବିବିସି ତରଫରୁ ଗୋଟିଏ କଥା କୁହାଯାଇଛି କି, ଆମେ ଚଢାଉରେ ସହଯୋଗ କରୁଛୁ ଓ ଖୁବଶୀଘ୍ର ସମସ୍ୟାର ସମାଧାନ ହୋଇଯିବ । ସେପଟେ ଆଗାମୀ ନୋଟିସ ପର୍ଯ୍ୟନ୍ତ କମ୍ପାନୀ ତାର କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ କରିବାକୁ ନିର୍ଦ୍ଦେଶ ଦେଇଛି ।

Advertisment

 ସାନ୍ତାକ୍ଲୋଜ ନିକଟରେ ଥିବା ବିବିସିର କାର୍ଯ୍ୟାଳୟରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଚଢାଉରେ ସାମିଲ ଥିବା ଆୟକର ବିଭାଗର ଅଧିକାରୀମାନେ କମ୍ପାନୀର ଆକାଉଣ୍ଟସ ଯାଂଚ କରୁଛନ୍ତି । ଏହାସହ ୩ ଦିନ ଧରି ଚଢାଉ ଜାରି ରଖିବାକୁ ଅନୁମତି ଥିବା କଥା ଆୟକର ବିଭାଗ ତରଫରୁ ବିବିସିକୁ ନୋଟିସ କରିଛି ।

ସେପଟେ ବିବିସି କାର୍ଯ୍ୟାଳୟ ଉପରେ ଯେଉଁ ସମୟରେ ଚଢାଉ କରାଗଲା ତାହାକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି । ବିରୋଧୀଙ୍କ ଅଭିଯୋଗ କି, ବିବିସି ତରଫରୁ ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ଯେଉଁ ଡକ୍ୟୁମେଣ୍ଟାରୀ ରିଲିଜ କରାଯାଇଥିଲା ତା ଉପରେ ସରକାର ପ୍ରତିଶୋଧ ପରାୟଣ ହୋଇ ଏଭଳି ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ କେବଳ ବିରୋଧୀ ଦଳ ନୁହଁନ୍ତି ବିବିସି କାର୍ଯ୍ୟାଳୟ ଉପରେ ଚଢାଉକୁ ନେଇ ବିଦେଶୀ ଗଣମାଧ୍ୟମମାନେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି । ଦ ଏଡିଟର୍ସ ଗିଲ୍ଡ, ହିନ୍ଦୁସ୍ତାନ ଟାଇମସ, ଅଲ ଜର୍ଜିରା ଭଳି ଗଣମାଧ୍ୟମ ଏହି ଚଢାଉକୁ ବିରୋଧ କରିଛନ୍ତି ।