କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଠିକଣାରେ ଏବେ ବି ଚାଲିଛି ରେଡ୍ । ରାଉରକେଲାରୁ ନଗଦ ୩ କୋଟି ଟଙ୍କା ଓ କେଜିଏ ସୁନା ଜବତ ।

372

କନକ ବ୍ୟୁରୋ: କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଠିକଣାରେ ଏବେ ବି ଚାଲିଛି ଆୟକର ବିଭାଗର ରେଡ୍ । ରାଉରକେଲାରୁ ନଗଦ ୩ କୋଟି ଟଙ୍କା ଓ କେଜିଏ ସୁନା ଜବତ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଓଡିଶା, ଛତିଶଗଡ ସମେତ ମୋଟ୍ ୧୦ଟି ଠିକଣାରେ ଏହି ରେଡ୍ ଚାଲିଛି । ଓଡିଶାରେ ରାଉରକେଲା, ସୁନ୍ଦରଗଡ, ବିଲେଇ ମୁଣ୍ଡା, ରାଏଗଡର ୭ଟି ସ୍ଥାନରୁ ବ୍ୟବସାୟୀଙ୍କର ବହୁମୂଲ୍ୟବାନ କାଗଜପତ୍ର ଜବତ ହୋଇଛି । ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଫୋର୍ସ ସାମିଲ ହୋଇଛନ୍ତି ।

ଘନଶ୍ୟାମଙ୍କ ଓଡ଼ିଶା, ଛତିଶଗଡ଼, ମୁମ୍ବାଇ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା ବ୍ୟବସାୟ ଓ ହୋଟେଲ ରହିଛି । ଏହାସହ ଘନଶ୍ୟାମଙ୍କ ଗୋପାଳପୁରରେ ଥିବା ଦୁଇମହଲା କୋଠା ଓ ଅଫିସ, ବିଲେଇମୁଣ୍ଡାର ଅଫିସ, ଘର, ସୋ’ରୁମ, ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରିରେ ମଧ୍ୟ ଚଢ଼ାଉ କରିଛି ଆୟକର ବିଭାଗ । ସେହିପରି ଘନଶ୍ୟାମଙ୍କ ଏମସିଏଲରେ ଥିବା କୋଇଲା ପରିବହନ ସାଇଟ୍, ଛତିଶଗଡ଼ ରାଏଗଡ଼ରେ ଥିବା ଆଇରନ, ଷ୍ଟିଲ ଓ ପାୱାର ପ୍ଲାଂଟ ଫ୍ୟାକ୍ଟ୍ରି ଓ ଘର, ରାୟପୁରରେ ଥିବା ଘର, ଅଫିସ ଏବଂ ବିଳାସପୁରରେ ଥିବା ହୋଟେଲରେ ମଧ୍ୟ ଚଢ଼ାଉ ହୋଇଛି । ତେବେ ଚଢ଼ାଉ ବେଳେ କିଛି କର୍ମଚାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି ।