ତୃତୀୟ ଦିନରେ ଆଇଟି ରେଡ୍: ୩ କୋଟି ଓ କେଜିଏ ସୁନା ଜବତ!

1,141

କନକ ବ୍ୟୁରୋ: କୁବେର କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢାଉ ଜାରି ରହିଛି । ତିନି ଦିନ ଧରି ଚଢାଉ ଚାଲିଥିବା ବେଳେ ନଗଦ ୩ କୋଟି ଟଙ୍କା ଓ ପୁଳା ପୁଳା ସୁନା ଜବତ ହୋଇଛି । ଚଢାଉ ଜାରି ରହିଥିବା ବେଳେ ଆଗକୁ ସଂପତିର ପରିମାଣ ବଢିବା ସମ୍ଭାବନା ରହିଛି ।

ଆୟକର ବିଭାଗର ରାଡାରରେ ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆ । ଛତିଶଗଡ ଓ ଓଡିଶା ସୁନ୍ଦରଗଡ, ରାଜଗାଙ୍ଗପୁର ଓ ରାଉରକେଲା ସମେତ ବିଭିନ୍ନ ଠିକଣାରେ ତୃତୀୟ ଦିନ ପାଇଁ ରେଡ ଚାଲିଛି । ଆୟକର ବିଭାଗର ଶହ ଶହ ଅଧିକାରୀ ଓ ସିଆରପିଏଫ ଏହି ରେଡରେ ସାମିଲ ହୋଇଛନ୍ତି । ସୁନ୍ଦରଗଡ ଓ ଛତିଶଗଡର ବିଶିଷ୍ଟ କୋଇଲା ବ୍ୟବସାୟୀ ହେଉଛନ୍ତି ଘନଶ୍ୟାମ ଡାଲମିଆ ।

ରେଡ୍ ଚାଲିଛି
-ସୁନ୍ଦରଗଡ, ଗୋପାଳପୁରରେ ଥିବା କୋଠା ଓ ଅଫିସ
-ବିଲେଇମୁଣ୍ଡାର ଅଫିସ, ଘର, ଶୋ ରୁମ ଓ ସ୍ପଞ୍ଜ ଆଇରନ କାରଖାନା
-ଏମସିଏଲ କୋଇଲା ପରିବହନ ସାଇଟ
-ଛତିଶଗଡ ରାୟଗଡର ଷ୍ଟିଲ, ଆଇରନ, ପାୱାର ପ୍ଲାଂଟ କାରଖାନା ଓ ବାସଭବନ
-ରାୟପୁର ଘର ଓ ଅଫିସ
-ବିଳାସପୁର ହୋଟେଲ

ଏହାଛଡା ଘନଶ୍ୟାମ ଡାଲମିଆଙ୍କ ବଡଭାଇ ବବୁଲ ଡାଲମିଆଙ୍କ ରାଉରକେଲା ଧର ଓ ବରପାଲିସ୍ଥିତ ଫ୍ୟାକ୍ଟ୍ରିରେ ବି ରେଡ୍ ହୋଇଛି । ଘନଶ୍ୟାମ ଡାଲମିଆଁଙ୍କ ଛତିଶଗଡ, ଓଡିଶା, କୋଲକାତା ମୁମ୍ବାଇ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କୋଇଲା, ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟ ରହିଛି । ରେଡ ସମୟରେ ୩ କୋଟି ଓ କେଜିଏ ସୁନା ଜବତ ହୋଇଥିବା କୁହାଯାଉଛି ।  ଚଢାଉ ସ୍ଥାନକୁ ସିଲ କରାଯାଇଛି । ମୋବାଇଲକୁ ବି ସିଜ କରାଯାଇଛି । ରାଜ୍ୟର ୧୦ଟି ସ୍ଥାନରେ ଏହି ରେଡ ଚାଲିଛି । ଏହାଛଡା ମୁମ୍ବାଇ, କୋଲକାତା, ମଧ୍ୟପ୍ରଦେଶ ଓ ଛତିଶଗଡରେ ବି ରେଡ୍ ଚାଲିଛି । କୋଇଲା ପରିବହନରେ କିଭଳି ଶହ ଶହ କୋଟିର ଟିକସ ଠକେଇ କରାଯାଏ ତାହା ଏହି ରେଡରୁ ପଦାକୁ ଆସିବ ବୋଲି କୁହାଯାଉଛି ।