କନକ ବ୍ୟୁରୋ : ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଘନଘନ ଚଢ଼ାଉ ଜାରି ରହିଛି । ଚଢ଼ାଉ ବେଳେ ଜାଗମରାରୁ ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ଟଙ୍କା ଭର୍ତ୍ତି ଦୁଇଟି ଟ୍ରଲି ବ୍ୟାଗ୍ ଆୟକର ବିଭାଗର ଅଧିକାରୀଙ୍କ ଦ୍ୱାରା ଜବତ ହୋଇଛି । ସଂପୃକ୍ତ ଅଧିକାରୀଙ୍କୁ ହେପାଜତକୁ ନେଇ ଆୟକର ବିଭାଗ ପଚରାଉଚରା ଜାରି ରଖିଛି ।

Advertisment

ସେହିପରି ତ୍ରିଶୁଳିଆ ଡିଏନ୍ ଗ୍ରୁପର ଟୁଇନସିଟି ପ୍ରୋଜେକ୍ଟର ଏକ ଫ୍ଲାଟରୁ ମଧ୍ୟ ବିପୁଳ ଟଙ୍କା ମିଳିଛି । ବୁଧବାର ଓ ଗୁରୁବାର ଜବତ କରାଯାଇଥିବା କୋଟି କୋଟି ଟଙ୍କାକୁ ୟୁନିଟ-୧ ସ୍ଥିତ ଏସବିଆଇ ଶାଖାକୁ ନିଆଯାଇ ଆୟକର ଅଧିକାରୀ ଓ ଡିଏନ ଗ୍ରୁପ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି କରାଯାଇଛି । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଗଣତି ଓ ହିସାବ ଚାଲିଥିବା ସୂଚନା ମିଳିଛି ।

ବୁଧବାର ଚଢାଉ ବେଳେ ୩୦ କୋଟି ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା । ୩ଟି ଟ୍ରଙ୍କ ଓ ଗୋଟିଏ ଆଟାଚ୍ରୁ କେବଳ ୫ଶହ ଟଙ୍କିଆ ନୋଟ୍ ମିଳିଥିଲା । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା । ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ବିଭାଗ । ଆଉ ଗୁରୁବାର ଚଢ଼ାଉ ବେଳେ ଆୟକର ବିଭାଗକୁ ୧୨୦ କୋଟିରୁ ଅଧିକ ଟଙ୍କାର କ୍ୟାସ୍ ରିସିପ୍ଟ ମିଳିଛି ।