ଡିଏମକେ ନେତ୍ରୀ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧିଙ୍କ କନ୍ୟା କାନିମୋଝିଙ୍କ ଘରେ ଆଜି ଆୟକର ବିଭାଗ ଚଢଉ କରିଛି । ତାଙ୍କ ଘରେ ବିପୁଳ ପରିମାଣରେ ନଗଦ ଟଙ୍କା ଗଚ୍ଛିତ ଥିବା ଖବର ମିଳିବା ପରେ ଏହି ଚଢଉ ହୋଇଛି । ଆୟକର ବିଭାଗର ପ୍ରାୟ ୧୦ ଜଣ ଅଫିସର ଏହି ଚଢଉରେ ସାମିଲ ଥିଲେ । ୨ୟ ପର୍ୟ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ ହେବାର କିଛି ଘଣ୍ଟା ପରେ ଏହି ଚଢଉ ହୋଇଥିଲା ।
କାନମୋଝିଙ୍କୁ ଦଳ ତୁଟିକୋରିନରୁ ପ୍ରାର୍ଥୀ କରିଛି । ଆସନ୍ତା ୧୮ ତାରିଖରେ ତାମିଲନାଡୁର ୩୯ ଲୋକସଭା ଆସନ ପାଇଁ ଭୋଟଗ୍ରହଣ ହେବ । ନିର୍ବାଚନ ପୂର୍ବରୁ ପାଖାପାଖି ୫୦୦ କୋଟି ଟଙ୍କା ଜବତ କରାଯାଇଛି । ଯେଉଁଥିରେ ୨୦୫ କୋଟି ନଗଦ ଟଙ୍କା ରହିଥିବା ବେଳେ ବାକି ସୁନା ରହିଥିଲା ।
ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ତାମିଲନାଡୁର ଭେଲୋର ଲୋକସଭା ସିଟ୍ ପାଇଁ ଏପ୍ରିଲ ୧୮ରେ ହେବାକୁ ଥିବା ମତଦାନ ବାତିଲ କରି ଦିଆଯାଇଛି। ପୂର୍ବରୁ ଏନେଇ ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ ଏକ ପତ୍ର ପଠାଇଥିବା ବେଳେ ଏପ୍ରିଲ ୧୮ରେ ମତଦାନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।
ସୂଚନାଯୋଗ୍ୟ, ଡିଏମକେ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରୁ କିଛିଦିନ ତଳେ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିଲା। ଏକ ସିମେଣ୍ଟ ଗୋଦାମରୁ କୋଟି କୋଟି ଟଙ୍କା ବସ୍ତାରେ ଭର୍ତ୍ତି କରାଯାଇ ରଖାଯାଇଥିଲା ବୋଲି ଜଣାପଡ଼ିଥିଲା। ଏହି ଟଙ୍କା ଜବତ ହେବାପରେ ବିପୁଳ ପରିମାଣର ଟଙ୍କା କାରବାର ହୋଇଥିବା ସନ୍ଦେହ କରି ଭେଲୋର ଲୋକସଭା ସିଟରେ ନିର୍ବାଚନ ସ୍ଥଗିତ ରଖିବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିଲେ, ଯାହାକୁ ଏବେ ବାତିଲ୍ କରି ଦିଆ ଯାଇଥିବା ସୂଚନା ମିଳିଛି ।
ଜିଲ୍ଲା ପୁଲିସ ଡିଏମକେ ପ୍ରାର୍ଥୀ କାଥିର ଆନନ୍ଦ ଓ ପାର୍ଟିର ଦୁଇ ଅନ୍ୟ ପଦାଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲା ଏପ୍ରିଲ ୧୦ରେ ଆୟକର ବିଭାଗର ଏକ ରିପୋର୍ଟ ଆଧାରରେ ରୁଜୁ କରାଯାଇଥିଲା। ଆନନ୍ଦ ବିରୋଧରେ ଜନପ୍ରତିନିଧି ନିୟମ ଆଧାରରେ ମାମଲା ରୁଜୁ ହୋଇଥିବା ବେଳେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଆନନ୍ଦ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/26011-apisiojcub-1515678584.jpg)