କନକ ବ୍ୟୁରୋ: ଭୁବନେଶ୍ୱର ୟୁନିଟ-୪ରେ ଥିବା ଚନ୍ଦ୍ରଶେଖର ପଣ୍ଡାଙ୍କ ଭଡ଼ା ଘରୁ ଗୋଟିଏ ପରେ ଗୋଟିଏ ୩ଟି ଟ୍ରଙ୍କ ଧରି ପଦାକୁ ବାହାରିଥିଲେ ଆୟକର ବିଭାଗର କର୍ମଚାରୀ । ଏହି ଟ୍ରଙ୍କ ଓ ଆଟାଚ୍ ଭିତରେ କୋଟି କୋଟି ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଅନୁମାନ କରାଯାଉଛି । ଯଦିଓ ଏ ପର୍ଯ୍ୟନ୍ତ କେତେ ଟଙ୍କା ଜବତ ହୋଇଛି, ସେନେଇ ଆୟକର ବିଭାଗ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । କିନ୍ତୁ ଟ୍ରଙ୍କ ଓ ଆଟାଚ୍ ଭର୍ତ୍ତି ଟଙ୍କା ଦେଖି ଆଖି ଖୋସି ହୋଇଯାଇଛି । ଗତକାଲିଠାରୁ ଡିଏନ ଗ୍ରୁପର ବିଭିନ୍ନ ଠିକଣା ଉପରେ ଆୟକର ବିଭାଗର ଚଢାଉ ଜାରି ରହିଛି ।

Advertisment
  • ଦ୍ୱିତୀୟ ଦିନରେ ‘ଡିଏନ୍ ଗ୍ରୁପ’ ଉପରେ ଆଇଟି ରେଡ୍
  • ୩ଟି ଟ୍ରଙ୍କ୍, ଗୋଟିଏ ଆଟାଚ୍ ଧରି ବାହାରିଲେ କର୍ମଚାରୀ

ଏପଟେ ରାଜ୍ୟର ଏକ ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ଚଢାଉକୁ ନେଇ ଜୋରଦାର ହୋଇଛି ରାଜନୀତି । ଡିଏନ୍ ଗ୍ରୁପର ମାଲିକ ଜଗଦିଶ ପ୍ରସାଦ ନାୟକଙ୍କ ସିଏମଓ ସହ ସଂପର୍କ ଯୋଡିଛି ଭାରତୀୟ ଜନତା ପାର୍ଟି । ସିଏମଓ ଏବେ କରପସନ୍ ମୋବିଲାଇଜେନ୍ ଅଫିସ ପାଲଟିଛି ବୋଲି ବିଜେପି ଅଭିଯୋଗ କରିଛି । ଏହି କମ୍ପାନି ବିଜେଡି ନେତା ଓ ବିଧାୟକଙ୍କ ମନି ଲଣ୍ଡରିଂର ମାଧ୍ୟମ ସାଜିଛି ବୋଲି ଦଳ କହିଛି ।

କଂଗ୍ରେସ ମଧ୍ୟ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛି । କୋଟି କୋଟି ଟଙ୍କା କେଉଁ ଦଳର ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଲୋକେ କହୁଛନ୍ତି ଏ ଟଙ୍କା ବଡ଼ ବଡ଼ ଅଫିସର ଓ ଶାସକ ଦଳର ବୋଲି ସାଲୁଜା ଅଭିଯୋଗ କରିଛନ୍ତି । ଜବାବରେ ବିଜେଡି କହିଛି ଡିଏନ ଗ୍ରୁପ ଯଦି ଆୟକର ଫାଙ୍କିଥିବ ତାହାହେଲେ ଆଇଟି ଚଢାଉରୁ ସ୍ପଷ୍ଟ ହେବ । ଆଇନ ତା ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ କହିଛନ୍ତି । ବିଜେପି ବିଳିବିଳେଇ ହେଉଛି, ହତାଶାରେ ଅଭିଯୋଗ କରୁଛିି ।

ଜବତ ଟ୍ରଙ୍କ ଓ ଆଟାଚ୍ ସହ ଡିଏନ ଗ୍ରୁପର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କୁ ସାଙ୍ଗରେ ନେଇ ଯାଇଛି ଆୟକର ବିଭାଗ । ସେହିପରି ଜବତ ହୋଇଥିବା ଟଙ୍କାକୁ ଆରବିଆଇରେ ଗଣତି କରାଯାଉଥିବା ମଧ୍ୟ ସୂଚନା ମିଳିଛି । ରେଡ୍ର ଚିତ୍ର କ୍ୟାମେରାରେ କଏଦ ହୋଇଥିଲେ ବି ଏ ପର୍ଯ୍ୟନ୍ତ କେତେ ଟଙ୍କା ଜବତ ହେଲାଣିି, କିମ୍ବା ଜବତ ହୋଇଥିବା ଟଙ୍କା ବେଆଇନ କି ନୁହେଁ ତାହା ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ବିଧିବଦ୍ଧ ଭାବରେ ଏନେଇ ଗଣମାଧ୍ୟମକୁ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ ।