ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ସଂସଦ ଗୃହ ଗରମ । କେନ୍ଦ୍ରକୁ ଘେରିଲେ ବିରୋଧୀ, ଜବାବ୍ ଦେଲେ ସରକାର । 

237

କନକ ବ୍ୟୁରୋ: ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଯେଉଁ ପ୍ରସଙ୍ଗକୁ ନେଇ ଗୃହ ତାତିଥିଲା, ତାହା ହେଉଛି ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗ । ଇସ୍ରାଏଲର ସ୍ପାଏ ଓୟାର ଜରିଆରେ ଭାରତରେ ନେତାଙ୍କ ଠାରୁ ବୈଜ୍ଞାନିକଙ୍କ ମୋବାଇଲ ଫୋନ୍ ହ୍ୟାକ୍ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଶେଷରେ ଏହାକୁ ନେଇ ସଦନରେ ଉତର ରଖିବାକୁ ବାଧ୍ୟ ହୋଇଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ । କହିଥିଲେ ପ୍ରକାଶିତ ରିପୋର୍ଟ ଭୁଲ, ସେପରି କୌଣସି କାମରେ ଲିପ୍ତ ନାହାନ୍ତି କେନ୍ଦ୍ର ସରକାର ।

କରୋନା ସଂକଟ, ଦରବୃଦ୍ଧି ଏବଂ ଅନ୍ୟ ସମସ୍ତ ବଡ ପ୍ରସଙ୍ଗ ଭିତରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଯେଉଁ ପ୍ରସଙ୍ଗ ପ୍ରମୁଖ ପାଲଟିଥିଲା , ତା ହେଉଛି ପେଗାସସ ସ୍ପାଏ ଇସ୍ୟୁ । ଏହା ହେଉଛି ଏକ ପ୍ରକାର ଫୋନ୍ ହ୍ୟାକିଂର ମାମଲା । କିଛି ଦିନ ଆଗରୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜାରି ଏକ ରିପୋର୍ଟରେ ଦାବି କରାଯାଇଛି , କି ପେଗାସସ ସ୍ପାଏ ଓୟାର ଜରିଆରେ ଭାରତରେ ଅନେକ ସାଂବାଦିକ, ନେତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଫୋନ୍ ହ୍ୟାକ୍ କରାଯାଇଛି । ବିରୋଧୀ ଦାବି କରିଛନ୍ତି ଏ ସବୁ ସରକାରଙ୍କ ଦ୍ୱାରା କରାଯାଇଛି । ଏହାକୁ ନେଇ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦେଖିବାକୁ ମିଳିଛି ତାତି ।

ରବିବାର ରାତିରେ ‘ଦ ଓୟାର’ର ଏକ ରିପୋର୍ଟ ସାମ୍ନାକୁ ଆସିଥିଲ।। ଯେଉଁ ଥିରେ ଦାବି କରାଯାଇଥିଲା, ଇସ୍ରାଏଲର ସଫ୍ଟଓୟାର କମ୍ପାନୀ ପେଗାସସ ଜରିଆରେ ଭାରତରେ ପ୍ରାୟ ୩୦୦ ଲୋକଙ୍କ ଫୋନ୍ ହ୍ୟାକ୍ କରାଯାଇଛି । ଯେଉଁଥିରେ ସାଂବାଦିକ, ନେତା, ବୈଜ୍ଞାନିକ, ଆଇନଜୀବୀ, ବ୍ୟବସାୟୀ ଓ ଅନ୍ୟ ସାର୍ବଜନୀନ ଜୀବନ ସହିତ ଜଡିତ ବ୍ୟକ୍ତି ବି ଅଛନ୍ତି । ବିରୋଧୀ ଦଳର ୩ ନେତାଙ୍କ ଫୋନ୍ ହ୍ୟାକ୍ ହୋଇଥିବା ରିପୋର୍ଟରେ କୁହାଯାଇଛି । ଏହାକୁ ଏବେ ଦେଶର ସୁରକ୍ଷା ସହିତ ଜଡିତ କରି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏକ ପାର୍ଲାମେଂଟାରୀ କମିଟି ଗଠନ କରି ଏହାର ତଦନ୍ତ ଦାବି ହୋଇଛି ।

ପେଗାସସ ଜରିଆରେ ଗୁଇନ୍ଦାଗିରି ଖବରକୁ ନେଇ ଗୃହରେ ଜବାବ ରଖିଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହା ଏକ ଭ୍ରମାତ୍ମକ ଖବର, ଆସିଥିବା ରିପାର୍ଟ ପୁରା ମିଥ୍ୟା । ଏହାକୁ ଖବର ପ୍ରକାଶ କରିଥିବା ସଂସ୍ଥା ନିଜ ଢଙ୍ଗରେ ପ୍ରକାଶିତ କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । କାହାର ଫୋନ୍ ହ୍ୟାକିଂ ପରି ଘଟଣାରେ କେନ୍ଦ୍ର ସରକାର ଲିପ୍ତ ନାହାନ୍ତି ବୋଲି ସଫେଇ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେପଟେ ସଂସଦ ବାହାରେ ପେଗାସସର ଗୁଇନ୍ଦାଗିରି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ସାଂବିଧାନିକ ପଦରେ ବସିଥିବା ଲୋକଙ୍କ ଉପରେ ଗୁଇନ୍ଦାଗିରି ଏକ ସୁସ୍ଥ ଗଣତନ୍ତ୍ରର ପରିଚାୟକ ନୁହଁ ବୋଲି କହିଛି କଂଗ୍ରେସ ।

ଚିନ୍ତାର କଥା ହେଉଛି ଇସ୍ରାଏଲର ସଫ୍ଟଓୟାର କମ୍ପାନୀ ପେଗାସସ୍ ନିକଟରେ ବିଶ୍ୱର ପ୍ରାୟ ୫ ହଜାର ଡାଟା ରହିଛି । ଏଥିରୁ ଭାରତରୁ ରହିଛି ୩୦୦ ଡାଟା । ଅଧିକ ଚିନ୍ତାର ବିଷୟ ବିଦେଶୀ ଗଣମାଧ୍ୟମକୁ ମିଶାଇ ପ୍ରାୟ ୨୦ଟି ସଂସ୍ଥା ନିକଟକୁ ପେଗାସସ୍ ଏହି ତଥ୍ୟ ପ୍ରଦାନ କରିଛି । ବିରୋଧୀଙ୍କ ଦାବି ଏହା କେବଳ ବ୍ୟକ୍ତିଗତ ନୁହଁ, ଜାତୀୟ ସୁରକ୍ଷା ପ୍ରତି ବି ବିପଦ ହୋଇପାରେ ।