କନକ ବ୍ୟୁରୋ: ପଦ୍ମପୁର ବାସୀଙ୍କ ଶୋଷ ମେଂଟାଇବାରେ ବିଫଳ ଜନ ସ୍ୱାସ୍ଥ୍ୟ ବିଭାଗ । ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡି ପ୍ରପିଡିତ ଅଂଚଳ । ବର୍ଷ ସାରା ଏହି ଅଂଚଳରେ ପାନିୟ ଜଳ ସମସ୍ୟା ଦେଖା ଦେଇଥାଏ । ବର୍ତମାନ ନଭେମ୍ବର ମାସରେ ପାଗ ଥଣ୍ଡା ଥିବା ସତ୍ୱେ ପଦ୍ମପୁର ସହରବାସୀଙ୍କ ଶୋଷ ମେଟାଇବାରେ ବିଫଳ ଜନସ୍ୱାସ୍ଥ୍ୟ ବିଭାଗ । ପଦ୍ମପୁର ସହର ୧୧ଟି ୱାର୍ଡକୁ ନେଇ ଗଠିତ । ଏଠାକାର ଲୋକମାନେ ପିଇବା ପାଣି ପାଇଁ ବହୁ ହଇରାଣ ହେଉଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ଜଳ ହିଁ ଜୀବନ, ଆମ ସହର ଆମ ଉନ୍ନତି, ପରି ନାରା ମାନ ଦେଇ ସହରର ବିଭିନ୍ନ ସ୍ଥାନରେ ଉଭର ହେଡ ଟ୍ୟାଙ୍କ ନିର୍ମାଣ କରାଉଛନ୍ତି । ଗାଁ ଗାଁରେ ପାଇପ୍ ବିଛାଇ, ଜଳ ଯୋଗାଣ ପାଇଁ ଘର ସମ୍ମୁଖରେ ଟ୍ୟାପ କରାଯାଇଛି । କିନ୍ତୁ ଟ୍ୟାପରେ ପାଣି ବଦଳରେ କେବଳ ପବନ ଆସୁଛି । ପଦ୍ମପୁର ଉପନିର୍ବାଚନ ସମୟରେ ସହରରେ ପର୍ଯ୍ୟାପ୍ତ ପରିମାଣର ପାଣି ଆସୁଥିଲା ହେଲେ ବର୍ତମାନ ପାଣି ଆସୁ ନାହିଁ । ଫଳରେ ଲୋକ ମାନେ ହଇରାଣ ହେଉଛନ୍ତି । ଯାହାକୁ ବିରୋଧ କରି ଆଜି ସହରର ୮ ଓ ୯ ନମ୍ବର ୱାର୍ଡର ଜନସାଧାରଣ ମାନେ ପଦ୍ମପୁର ବସନା ରୋଡକୁ ଜନସ୍ୱାସ୍ଥ୍ୟ ଅଫିସ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ । ପୋଲିସ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ବୁଝାସୁଝା ପରେ ଦୀର୍ଘ ତିନି ଘଂଟା ପରେ ରାସ୍ତା ଅବରୋଧ ହଟିଥିଲା ।