କନ୍ୟା ଡାକରା ପାଇଁ ଯିବା କାଳ ହେଲା। ପଟାଙ୍ଗୀରେ ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାର

179

କନକ ବ୍ୟୁରୋ: ମଙ୍ଗଳବାର କୋରାପୁଟ ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ୨୭ନଂ ଜାତୀୟ ରାଜପଥରେ ଦୁର୍ଘଟଣାରେ ଚାଲିଗଲେ ଗୋଟିଏ ପରିବାର । କନ୍ୟା ଡାକରା ପାଇଁ ଯିବା କାଳ ହେଲା । ଅଧାରେ ଅଟିକିଗଲା ବାହାଘର ।

ବାହା ବେଦୀ ସାଜସଜ୍ଜା ସରିଥିଲା । ଭୋଜି ପାଇଁ ପରିବା କଟାକଟି ବି ସରିଥିଲା । ଖାଲି ଚୁଲି ଜଳିନଥିଲା । ବାହାଘର ପ୍ରସ୍ତୁତି ଭିତରେ ହଠାତ ଦୁର୍ଘଟଣାର ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଖବର ଆସିଲା କନ୍ୟା ବରଣ ପାଇଁ ଯାଉଥିବା ଭଉଣୀ ଦୁର୍ଘଟଣାରେ ଆରପାରିକୁ ଚାଲିଗଲା । ବାହାଘରର ହସଖୁସି ବାତବାରଣ ହଠାତ ଶୋକାକୂଳ ହୋଇପଡିଥିଲା ।

କିଏ ଜାଣିଥିଲା ଭାଇର ସଂସାର ଗଢିବା ପାଇଁ ଯିବା ବେଳେ ଉଜୁଡି ଯିବ ଭଉଣୀର ସୁନା ସଂସାର । ଭାଇର ବିବାହ ପାଇଁ ଅତି ସରାଗରେ କନ୍ୟାକୁ ଆଣିବା ପାଇଁ ଯାଉଥିବା ଭଉଣୀକୁ ବାଟରେ ଅପେକ୍ଷା କରି ରହିଥିଲା ମୃତ୍ୟୁ ଦୂତ । ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ପୁଙ୍ଗାର ଗାଁ ନିକଟରେ ଟ୍ୟାଙ୍କର ଓ କାର ମୁହାମୁହିଁ ଧକ୍କା ହେବାରୁ ଗୋଟିଏ ପରିବାର ୩ ନୁହେଁ ୪ ଜଣଙ୍କ ଜୀବନ ଯାଇଛି । ମୃତକ ହେଲେ ରଶ୍ମିତା ପ୍ରଧାନ, ଶତ୍ରୁଘ୍ନ ପ୍ରଧାନ ଓ ୬ ବର୍ଷର ଝିଅ ଶୁଭଲକ୍ଷ୍ମୀ ପ୍ରଧାନ । ବଡକଥା ହେଉଛି ମୃତ ରଶ୍ମିତା ଗର୍ଭବତୀ ଥିଲେ । ଆଉ ତାଙ୍କ ଗର୍ଭସ୍ଥ ଶିଶୁ ଦୁନିଆ ଆସିବା ଆଗରୁ ମାଆ ପେଟରେ ଆଖି ବୁଜିଦେଇଛି ।

ଦୁର୍ଘଟଣାରେ ଗୋଟିଏ ପରିବାରର ସମସ୍ତଙ୍କ ମୃତ୍ୟୁ ଘଟଣା ବୋରିଗୁମା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ଶୋକାକୁଳ ପରିବେଶ ଭିତରେ ପରିବାର ଓ ଆତ୍ମୀୟସ୍ୱଜନ ସମସ୍ତଙ୍କୁ ଗୋଟିଏ ଜୁଇରେ ଅନ୍ତିମ ବିଦାୟ ଦେଇଛନ୍ତି ।