ମାଲକାନଗିରିରେ ଆନ୍ଧ୍ର ମ୍ୟୁଟାଣ୍ଟ ପ୍ରବେଶ କରିଥିବା ନେଇ ସନ୍ଦେହ । ଆକ୍ରାନ୍ତ ହେବାର ଅଳ୍ପ ସମୟ ମଧ୍ୟରେ ୨ ଜଣଙ୍କର ମୃତ୍ୟୁ, ସହର ଓ ଆଖପାଖ ଅଞ୍ଚଳରେ ତୀବ୍ର ବେଗରେ ବ୍ୟାପୁଛି ସଂକ୍ରମଣ ।

558

କନକ ବ୍ୟୁରୋ : ରାଜ୍ୟ କରୋନା ଗ୍ରାଫର ଗ୍ରୀନ ଜୋନରେ ଥିବା ମାଲକାନଗିରି ଜିଲ୍ଲାରେ ଚିନ୍ତା ବଢାଉଛି ଆନ୍ଧ୍ର ଭ୍ୟାରିଆଂଟ । ମୋଟୁ ସୀମା ଦେଇ ପ୍ରତିଦିନ ଶହଶହ ପ୍ରବାସୀ ଓଡିଶା ସୀମା ଭିତରକୁ ପ୍ରବେଶ କରୁଛନ୍ତି । ଫଳରେ ମାଲକାନଗିରି ଜିଲ୍ଲାରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ତେବେ ଏଯାଏଁ ମାଲକାନଗିରିରେ ଆନ୍ଧ୍ର ଭ୍ୟାରିଆଂଟର କୌଣସି ନମୁନା ଚିହ୍ନଟ ହୋଇ ନଥିଲେ ବି କାଲିମେଳା-ମୋଟୁ ଅଂଚଳରେ ସ୍ଥିତି କିନ୍ତୁ ଗମ୍ଭୀର ରହିଛି । କିଏ ମେଡିକାଲ ବାରଣ୍ଡାରେ ପ୍ରାଣ ହରାଉଛି ତ କିଏ ଡାକ୍ତରଖାନା ପହଂଚିବା ଆଗରୁ ଆଖି ବୁଝି ଦେଉଛନ୍ତି ।

ଡାକ୍ତରଖାନା ବାରଣ୍ଡାରେ ନିଜ ପତ୍ନୀଙ୍କ ମୃତଦେହକୁ ଧରି ବାହୁନି ବାହୁନି କାନ୍ଦୁଛି ସ୍ୱାମୀ । ଆଉ ଜଣେ ପୁଅ ନିଜ ମାର ଶବକୁ ଆମ୍ବୁଲାନ୍ସକୁ ନେଉଥିବା ବେଳେ ପାଖ ମାଡୁ ନାହାନ୍ତି କେହି । ଏ ଦୁଇଟି ଘଟଣା ଆସିଛି ମାଲକାନଗିରି ଜିଲ୍ଲା କାଲିମେଳାରୁ । ଏମଭି ୭୨ ଗାଁର କୌଶଳ୍ୟା ଗତ ତିନି ଦିନ ଧରି ଅସୁସ୍ଥ ଥିବାରୁ କାଲିମେଳା ଡାକ୍ତରଖାନାକୁ ଆଣିଥିଲେ ସ୍ୱାମୀ ବିଧାନ । ଆଉ କାଲିମେଳାରେ କରୋନା ପରୀକ୍ଷା କରି ମାଲକାନଗିରି କୋଭିଡ ହସ୍ପିଟାଲକୁ ସା୍ଥନାନ୍ତରିତ କରିବା ପୂର୍ବରୁ ଡାକ୍ତରଖାନା ବାରଣ୍ଡାରେ ଛଟପଟ ହୋଇ ପ୍ରାଣ ହରାଇଲେ ୩୦ ବର୍ଷୀୟା ମହିଳା କୌଶଲ୍ୟା ବସୁ । ସେହିପରି ୬୦ ବର୍ଷୀୟ ସୁତାରାଣୀ ଢାଲିଙ୍କୁ ଅକ୍ସିଜେନ ଦେଇ ଆମ୍ବୁଲାନ୍ସ ଯୋଗେ କାଲିମେଳାରୁ ମାଲକାନଗିରି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଥିଲା, ତେବେ ଅଧାବାଟରେ ସୁତାରାଣୀଙ୍କ ପ୍ରାଣବାୟୁ ଉଡିଯାଇଥିଲା ।

କରୋନାର ଆନ୍ଧ୍ର ଭ୍ୟାରିଆଣ୍ଟକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । କାଲିମେଳା ମୋଟୁ ଗ୍ରାମାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି । ତେବେ ଆନ୍ଧ୍ରର ଭୟାନକ ଏନ୪୪୦କେ ଭୁତାଣୁ ଓଡିଶା ମୁହାଁ ହୋଇଥିବାନେଇ ଆଶଙ୍କ କରାଯାଉଥିବାବେଳେ ଏନେଇ କୌଣସି ପରୀକ୍ଷା ହୋଇନଥିବା କହିଛନ୍ତି ସିଡିଏମଓ ।

କରୋନାର ଦ୍ୱିତୀୟ ଲହରରେ ମାଲକାନଗିରି ଜିଲ୍ଲାରେ ପ୍ରତିଦିନ ୩୦ରୁ ୩୫ଭିତରେ ରହୁଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଗତ ଦୁଇ ଦିନ ଧରି ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି । ସେପଟେ ଆନ୍ଧ୍ର ତେଲେଙ୍ଗାନା ଅତିକ୍ରମ କରି ମୋଟୁ ସୀମା ଦେଇ ପ୍ରାୟ ୧୩୫୦୦ ପ୍ରବାସୀ ଓଡିଶା ଭିତରକୁ ପ୍ରବେଶ କରିଥିବା ବେଳେ ଏଥିରେ ୬୦୦୦ ରୁ ଉଦ୍ଧ୍ୱର୍ ପ୍ରବାସୀ କେବଳ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡିଛି । ତେବେ ଏହି ଆନ୍ଧ୍ର ମ୍ୟୁଟାଣ୍ଟ ସହ ମୁକାବିଲା କରିବା ଲାଗି ମୋଟୁ ସୀମାରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ସମସ୍ତଙ୍କ ଆଣ୍ଟିିଜେନ ପରୀକ୍ଷା କରାଯାଉଛି । ମୋଟୁ ସୀମାରେ ପ୍ରବାସୀଙ୍କ ପାଇଁ ଜିଲ୍ଲାଓାରୀ ୨୫ଟି ଟ୍ରାନଜିଟ କ୍ୟାମ୍ପ ଖୋଲିବାକୁ ନିଷ୍ପତି ହୋଇଥିବା ବେଳେ ସେମାନଙ୍କୁ ଟ୍ରାନଜିଟ କ୍ୟାମ୍ପରୁ ନିଜ ନିଜ ଜିଲ୍ଲାକୁ ପଠାଇବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।